Unknown

 

 

 

 

 

 

 

 

 

ଉତ୍କଳର ଋତୁଚିତ୍ର

ଶ୍ରୀ ଶଶିଭୂଷଣ ରାୟ

 

ବସନ୍ତ

 

ବସନ୍ତ ! ଜୟୋସ୍ତୁ । ତୁମ୍ଭଠାରେ କବିଗଣ ଋତୁରାଜ ଆଖ୍ୟା କାହିଁକି ଅର୍ପଣ କରିଅଛନ୍ତି-? କେବଳ ତାହା ନୁହେ, ଏହି ହିମାଦ୍ରିକିରୀଟିନୀ ଭାରତଭୂମିରେ ବହୁ ଶ୍ରେଣୀର କବିରତ୍ନ ଜନ୍ମଗ୍ରହଣ କରି ସମସ୍ତେ ସହସ୍ରମୁଖରେ ତୁମ୍ଭର ଋତୁରାଜ-ବୈଭବର ଜୟ ଘୋଷଣା କରିଅଛନ୍ତି ଏବଂ ତୁମ୍ଭର ଦିର୍ଡ୍ମଣ୍ଡଳବିଭାସିନୀ ମୋହିନୀ ମୂର୍ତ୍ତିର ସୁମନ ସଙ୍କୁଳ ମଧୁରିମା ଯଥାର୍ଥରୂପେ ଆସ୍ୱାଦନ କରି–

 

‘‘ନବପଳାଶପଳାଶବନଂ ପୁରଃ

ସ୍ଫୁଟପରାଗପରାଗତପଙ୍କଜଂ ।

ମୃଦୁଲତାନ୍ତଲତାନ୍ତମଲୋକୟତ୍‌

ସସୁରଭିଂ ସୁରଭିଂ ସୁମନୋହରୈଃ । ’’

 

ଈଦୃଶ ଅମରସଙ୍ଗୀତରେ ତୁମ୍ଭର ଉପଯୁକ୍ତ ସମ୍ଭାବନା କରିଅଛନ୍ତି ଭାରତର ଅମର-ଅଭିଧାନରେ ତୁମ୍ଭେ ସୁରଭି ଏବଂ ମଧୁ ନାମରେ ଅଭିହିତ । ପ୍ରଚଣ୍ଡ ଶୀତ ଉତ୍ତାରୁ ତୁମ୍ଭର ଶୁଭାଗମନରେ ଜଡ଼ତାବିମୁକ୍ତ ପ୍ରକୃତିର ହାସ୍ୟଚ୍ଛଟା କବିଜନଲୋଭନୀୟ ବୋଲି ତୁମ୍ଭର ସମାଦର ଜଗଦ୍‌ବ୍ୟାପୀ ହୋଇଅଛି । ବାସଙ୍ଗ, ମାଧବୀ, କାଞ୍ଚନ, ବଉଳ, କୁରୁବକ ପ୍ରଭୃତି ଫୁଲସମୂହ ନୟନାନନ୍ଦ ସମ୍ପାଦନ କଲେଣି । ବାତାପି ଫୁଲ ଚତୁର୍ଦ୍ଦିଗରେ ନିଜର ଅପୂର୍ବ ସୌରଭ ବିତରଣ କଲାଣି । ତୁହିନଭୀତା ପଙ୍କଜିନୀ ଋତୁନାୟକର ଲଳିତ-କାନ୍ତି ଅବଲୋକନ ନିମିତ୍ତ ମଳୟାନିଳର ମନ୍ଦ ମନ୍ଦ ହିଲ୍ଲୋଳରେ କମ୍ପିତ-କଳେବର ହେଲାଣି । ମଧୁମକ୍ଷିକା ମଧୁଚକ୍ର ନିର୍ମାଣ ଲାଗି ପ୍ରସ୍ତୁତ ହେଲେଣି । ସୌରକରପ୍ରତିଫଳିତ କୋଟି କୋଟି କୀଟାଣୁର ନୃତ୍ୟ ଚିତ୍ରିତ ନଭୋମଣ୍ଡଳବତ୍‌ ପ୍ରକାଶିତ । ଭୂମଣ୍ଡଳର ପର୍ବତ ଏବଂ ପରମାଣୁ ଏ ଉଭୟଙ୍କଠାରେ ପଦାର୍ଥିତ୍ୱ ପ୍ରତିଷ୍ଠିତ । ନବ ବସନ୍ତ ସମାଗମରେ ପର୍ବତାବତଂସ ହିମାଳୟଠାରୁ କ୍ଷୁଦ୍ରତମ ପରମାଣୁ ପର୍ଯ୍ୟନ୍ତ ଚିଦାନନ୍ଦମୟ ଦୃଷ୍ଟ ହୁଏ । ସେହି ତ୍ରୈଲୋକ୍ୟଚିନ୍ତାମଣି ବ୍ରହ୍ମାଣ୍ଡନାଥଙ୍କର ବସନ୍ତ ଆନୟନ କି ସୁନ୍ଦର ଅପୂର୍ବ ବିଧାନ ! ରୌଦ୍ରର ପ୍ରଖରତାସୂଚକ ସିନ୍ଦୁରମୁଣ୍ଡିର ରବ ଚତୁର୍ଦ୍ଦିଗରେ ଶୁଭିଲାଣି । ହଳଦିବସନ୍ତ ଓ କୋକିଳ ମଧ୍ୟେ ମଧ୍ୟେ ବସନ୍ତାଭିନନ୍ଦନ ଆରମ୍ଭ କରି ‘‘ପଲ୍ଲବ-ପାଟଳା’’ ବନଭୂମି ବିଧୂନିତ କଲେଣି ।

 

ଭଇଞ୍ଚ ଗଛସମୂହ ତାମ୍ରାଭ ଓ ପୀତବହୁଳ ହରିତ୍‌ପତ୍ରରେ ଶୋଭିତ ହୋଇ ତୁମ୍ଭର ଶୁଭାଗମନର ସୂଚନା କରୁଅଛି । ତିଳେଇର ଧଳାଫୁଲ ଓ ଧାତକୀର ପାଟଳ ଫୁଲ ଉଭୟେ ମିଶି ବନଭୂମିକୁ ଅପୂର୍ବ ରୂପରେ ଶବଳିତ କରିଅଛନ୍ତି । ସୁନାରୀ ଗଛର ପୀତ ପୁଷ୍ପଗୁଚ୍ଛ ଓ ଅଶୋକର ରଙ୍ଗ-ପାଟଳ-ମିଶ୍ରିତ ପୁଷ୍ପସ୍ତବକସମୂହରେ ସ୍ଥାନବିଶେଷ ଅପୂର୍ବ ଶୋଭା ଧାରଣ କରୁଅଛି । ଗୁନିଆରି ଗଛର ବୃହାଦାକାର ପୀତ ଫୁଲସମୂହ ପ୍ରକୃତି ଦେବୀଙ୍କ ହରିତ୍‌-ଶାଢ଼ୀରେ ସୁନା ଜରୀର କାରୁକାର୍ଯ୍ୟ ପ୍ରାୟ ଶୋଭମାନ । ଧବଳ-ସିକତା-ମୟୀ ନଦୀର ନୀଳ ସ୍ରୋତ-ଦର୍ପଣରେ ପ୍ରତିବିମ୍ବିତ ପାରିଭଦ୍ର, ଇଜ୍ଜଳ, ଶିମୂଳ ଓ ପଳାଶର ଶୋଭା ଆକାଶରେ ରକ୍ତ କୋକନଦ ପରି ଦୃଶ୍ୟମାନ । ଶୁଭ୍ର ଏବଂ ତାମ୍ରାଭ ଅଷାଢ଼ୁଆ ଫୁଲ ସମୀରଣରେ ଦୋହଲୁ ଅଛି । କେନ୍ଦୁ, ଜାମୁ, କୁସୁମ ଓ ଶାଳଗଛସମୂହର ପଲ୍ଲବାଙ୍କୁର ଆରକ୍ତ ଏବଂ ତାମ୍ରାଭ ଦିଶିଲେଣି । ପୁଷ୍ପିତ ଶୋଭାଞ୍ଜନରେ ଫୁଲଚୁଇଁ ପକ୍ଷୀ ଡାକିଲେଣି ।

 

ତୁମ୍ଭର ଶୁଭାଗମନ ପ୍ରାରମ୍ଭରୁ କୁହୁଡ଼ି ସୁଞ୍ଜାତ ହୋଇ ଆମ୍ର ମୁକୁଳ ନିର୍ଗତ ହୁଏ । ନବ ବସନ୍ତ-ସମାଗମର ପ୍ରାକ୍କାଳରୁ ପ୍ରଭାତ ସମୟ ଅତୀବ ରମଣୀୟ ବୋଧହୁଏ । ଏତେବେଳେ ପ୍ରକୃତି-ଦେବୀଙ୍କ ସୁଷମା ପ୍ରକୃତ ସୌନ୍ଦର୍ଯ୍ୟ, ଗାମ୍ଭୀର୍ଯ୍ୟ ଏବଂ ଗୁରୁତ୍ୱରେ ପରିପୂର୍ଣ୍ଣ ହୁଏ ବୋଲି ମାନବର ମୁକ୍ତ ପ୍ରାଣ ଶୀତକାଳରେ ଜଡ଼ିମା ପରିହାର କରି ବସନ୍ତ ପ୍ରଭାତର ଅନନ୍ତ ଶୋଭା-ସମୁଦ୍ରରେ ମଗ୍ନ ହୋଇଥାଏ । ପ୍ରଭାତରେ ଆମ୍ବତୋଟାରେ ବୃକ୍ଷସମୂହର କାଞ୍ଚନ-ବିଦ୍ରୁମ-କାନ୍ତି ନବ କିଶଳୟଗୁଡ଼ିକରୁ ହିମ ମୁକ୍ତା-ହାର ଖସି ପଡ଼ୁଥାଏ । ନବୋଦିତ ସୌରକର-ପ୍ରତିଫଳିତ ହୋଇ ସେ ସମସ୍ତେ ନୟନମନର ଯଥାର୍ଥ ଆରାମଦାୟିନୀ ରଙ୍ଗଭୂମି ହୋଇ ଉଠନ୍ତି । ଗ୍ରାମ୍ୟ ଲୋକେ ଇକ୍ଷୁକ୍ଷେତ୍ରରେ ମଧୁର ଇକ୍ଷୁରସ ପାନ କରୁଥିଲେ । ବର୍ତ୍ତମାନ ସେ ସବୁ ଅନ୍ତର୍ହିତ । ଆମ୍ବଚଣା ଓ ଆମ୍ବକଷି ଏ ସବୁର ସ୍ଥାନ ଅଧିକାର କଲାଣି । ବରକୋଳି ପାଚିଲାଣି । ପାଳଧୁଆ ପୁଷ୍ପରେ ଦିର୍ଡ୍ମଣ୍ଡଳ ଆଲୋକିତ । ପ୍ରାନ୍ତରସମୂହ ଭରତିଆର ଦିଗନ୍ତ-ପ୍ରତିଧ୍ୱନିତ-କୂଜନରେ ଶବ୍ଦାୟମାନ ହେଲାଣି । କୌଶଲ୍ୟା-ଗଙ୍ଗା-ପଦ୍ମବନର ଉପରିଭାଗରେ ଉଡ୍‌ଡ଼ୀୟମାନ ସରାଳୀର ରବ ଜଳ-ଦେବୀଙ୍କ ନୂପୁର-ନାଦ ପରି ଶୁଭିଲାଣି । ରାହାଙ୍ଗର ପୁଷ୍କରିଣୀ ଓ ପାଟର ନୀଳ ଜଳରେ ହିଞ୍ଜଳର ମନୋହର ପ୍ରତିବିମ୍ବ ଏବଂ ଜଳ ମଧ୍ୟରେ ରକ୍ତ କଇଁଫୁଲର ଶୋଭା ଦୃଷ୍ଟି ଆକର୍ଷଣ କରୁଅଛି । ପୁରୀ ନିକଟବର୍ତ୍ତୀ ସମଗରା ପାଟର ଜଳୋପରି ଧୂମାକାର ଅସଂଖ୍ୟ କ୍ଷୁଦ୍ର କ୍ଷୁଦ୍ର ପତଙ୍ଗ ବିଚିତ୍ର ନୃତ୍ୟ ଆରମ୍ଭ କଲେଣି । ଛୁରିଅନା, ମୁଚୁକୁନ୍ଦ ଓ ପାଟଳୀରେ ପୁଷ୍ପୋଦ୍ଗମ ହେଲାଣି । ଏତେବେଳେ ପାଳଲହଡ଼ା ରାଜ୍ୟର ବିରାଟ ମାଲ୍ୟଗିରି-ନିମସ୍ଥ ପ୍ରକାଣ୍ଡ ନାଗେଶ୍ୱର ବନ ଅପୂର୍ବ ଶୋଭା ଧାରଣ କରେ । ସମଗ୍ର ଉତ୍କଳର ଏହି ପ୍ରକାଣ୍ଡ ନାଗେଶ୍ୱର ବନର ତୁଳନା ନାହିଁ । ପୁଷ୍ପିତ ନାଗେଶ୍ୱର ବୃକ୍ଷସମୂହ ବସନ୍ତ-ସମୀରଣରେ ଆନ୍ଦୋଳିତ ହୋଇ ଦିଗନ୍ତବ୍ୟାପୀ ସୌରଭ ବିକୀରଣରେ ସର୍ବଦା ବ୍ୟସ୍ତ ଏବଂ ବନ-ମଧ୍ୟସ୍ଥିତ ନିର୍ଝର ସ୍ୱଚ୍ଛ ନୀର ଉଦ୍‌ଗୀରଣରେ ମତ୍ତ । ଏହା ଦେଖିଲେ ବିଶ୍ୱସ୍ରଷ୍ଟା ଏବଂ କ୍ଷୁଦ୍ରାଦପି କ୍ଷୁଦ୍ର ମନୁଷ୍ୟ ମଧ୍ୟରେ ପ୍ରୀତି ଶ୍ରଦ୍ଧା ଏବଂ ବିଶ୍ୱାସର ଅମଳ ଶତଦଳ ପ୍ରସ୍ଫୁଟିତ ହୁଏ ଏବଂ ମନରୁ ଅଶାନ୍ତି, ଉଚ୍ଛୃଙ୍ଖଳତା, କଦାଚାର ଏବଂ ଉଦ୍ଦାମ ଭାବ ସମ୍ପୂର୍ଣ୍ଣ ନିର୍ବାସିତ ହୋଇଯାଏ ।

 

‘‘ବୀଣା-ପୁସ୍ତକ-ରଞ୍ଜିତ-ହସ୍ତେ

ଭଗବତି ଭାରତି ଦେବି ନମସ୍ତେ । ’’

 

ବସନ୍ତ-ପଞ୍ଚମୀ ଦିନ ବାଗ୍‌ଦେବୀ ସରସ୍ୱତୀଙ୍କ ଆରାଧନା ବସନ୍ତାରମ୍ଭର ପ୍ରଥମ ଉତ୍ସବ-। ଏ ଦୃଶ୍ୟ ଅତୀବ ସୁନ୍ଦର ଏବଂ ମର୍ମସ୍ପର୍ଶୀ । କିନ୍ତୁ ଏହି ପୂଜା କେବଳ ବିଦ୍ୟାର୍ଥୀ ବାଳକମାନଙ୍କ ମଧ୍ୟରେ ନିବଦ୍ଧ ନୁହେ । ଘରେ ଘରେ ଏହି ପୂଜା ଅନୁଷ୍ଠିତ ହୋଇଥାଏ । ପ୍ରକୃତିଙ୍କ ସହିତ ମାନବର ଅନ୍ତର୍ନିହିତ ପୁପୂଜିଷା ବୃତ୍ତି ସମଞ୍ଜସୀଭୂତ କରି ମାନବ ଏହି ଭାବରେ ପ୍ରକୃତିର ଆରାଧନା କରିଥାନ୍ତି । ଶୀତାପଗମରେ ବସନ୍ତସମାଗମ ହେଲେ କୁହେଳିକା-ବିମୁକ୍ତ ତପନର କିରଣମାଳା ଯେତେବେଳେ ଧରଣୀ-ଗାତ୍ରରେ ବିଞ୍ଚି ହୋଇଯାଏ ଏବଂ ସରିତ୍‌-ସରସୀ-ଜଳ ବାଷ୍ପଶୂନ୍ୟ ହୋଇ ସବିତାର ସେହି ରଜତ-କାନ୍ତି-ଭାତି ଘେନି କ୍ରୀଡ଼ା କରେ, ତେତେବେଳେ ଶ୍ୱେତାମ୍ବରା, ଶ୍ୱେତପଦ୍ମାସନା ବାଣୀଙ୍କ ସାଧନାର ପ୍ରକୃଷ୍ଟ ସମୟ । ଯେତେବେଳେ ବାହ୍ୟ ପ୍ରକୃତି ମଳିନ-ମୌନ-ଭାବ ପରିହାର କରି ମୁଖର-ଭାବ ଧାରଣ କରୁଅଛି, ଯେତେବେଳେ ସୁକଣ୍ଠ କଳକଣ୍ଠ ନବୋଦ୍ଗତ ଘନସନ୍ନିବିଷ୍ଟ ଆରକ୍ତ କିଶଳୟରାଜି ମଧ୍ୟରେ ନିଜର କୃଷ୍ଣବର୍ଣ୍ଣ ଦେହ ଲୁକ୍କାୟିତ ରଖି ପଞ୍ଚମ ତାନ ଧରୁଅଛି, ଯେତେବେଳେ କୃଷ୍ଣକାୟ ଭ୍ରମର ନବ-ମୁକୁଳିତ ଚୂତମୁକୁଳ-ସୌରଭରେ ଆକୃଷ୍ଟହୋଇ ଗୁଞ୍ଜରୁଅଛି ଏବଂ ତହିଁ ସଙ୍ଗେ ହଳଦିବସନ୍ତ, ମୁନିଆ ଓ ଭରତିଆ ପ୍ରଭୃତିର ସ୍ୱର ମିଶି ସମଗ୍ର ବିଶ୍ୱରେ ଏକ ଅପୂର୍ବ ଶବ୍ଦ-ରାଜ୍ୟର ସୃଷ୍ଟି କରୁଅଛି, ସେହି ଶୁଭ ମୁହୂର୍ତ୍ତ ବାଗ୍‌ଦେବୀଙ୍କ ପୂଜାର ପ୍ରକୃତ ସମୟ । ବାହ୍ୟ-ପ୍ରକୃତି ତେତେବେଳେ ଶବ୍ଦମୟୀ । ବାହ୍ୟ-ପ୍ରକୃତିରେ ଯେଉଁ ଭାବର ବିକାଶ, ଅନ୍ତଃ-ପ୍ରକୃତି ମଧ୍ୟ ସ୍ୱତଃ ସେହିଭଳି ଭାବମୟୀ ହୋଇଥାଏ । ଯେତେବେଳେ ସନ୍ଧ୍ୟା-ଶିଶିର-ସିକ୍ତ ଅମଳ-ଧବଳ-ପ୍ରସୂନ-ରାଜି ଶୀତାଂଶୁର ଅଂଶୁମାଳା ବକ୍ଷରେ ଧାରଣ କରି ହସି ହସି ଜଗଦ୍‌ବ୍ୟାପିନୀ ଏକ ଅପୂର୍ବ ଶୁଭ୍ର ସୁଷମାର ସୃଷ୍ଟି କରେ, ସେତେବେଳେ

 

‘‘ମୁକ୍ତାକାନ୍ତିନିଭାଂ ଦେବୀଂ ଜ୍ୟୋତ୍ସ୍ନାଜାଳବିକାଶିନୀମ୍‌,

ମୁକ୍ତାହାରଯୁତାଂ ଶୁଭ୍ରାଂ ଶଶିଖଣ୍ଡବିମଣ୍ଡିତାମ୍‌ । ’’

 

ଦେବୀଙ୍କର ପୂଜା ହୋଇଥାଏ । ଧରିତ୍ରୀ ନିଜର ଜଡ଼ଭାବ ପରିତ୍ୟାଗ କରି ନବୀନ ଉଦ୍ୟମରେ ଉତ୍ତେଜିତା ହୋଇ ଉଠିଲେ ବୀଣାପାଣିଙ୍କର ପୂଜା ହୁଏ । ବସନ୍ତ-ପଞ୍ଚମୀ ଦିନ ପ୍ରକୃତିର ହରିଦ୍‌ବନାନ୍ତରାଳ-ଶାୟିତ ମଳୟାନିଳ ସମ୍ଭୋଗ କରୁଁ କରୁଁ ମଧୁର ଏବଂ ମୃଦୁଳ ଭାବ-ସ୍ରୋତର ପ୍ରଥମ ଉଚ୍ଛ୍ୱାସ ଯୋଗୁଁ ସମସ୍ତେ ଶ୍ୱେତପଦ୍ମାସନା ବାଗ୍‌ଦେବୀଙ୍କ ଆରାଧନା କରନ୍ତି ।

 

ଅନେକ ଲୋକ ମନେ କରନ୍ତି, ସରସ୍ୱତୀ-ପୂଜା କେବଳ ବାଳକବାଳିକା ଓ ବିଦ୍ୟାର୍ଥିଙ୍କ ଉତ୍ସବ । ଶିଶୁର ମନୋବୃତ୍ତି ଯେତେବେଳେ ନବୋଦ୍ଭିନ୍ନ-କଳିକାବତ୍‌ କେବଳ ବିକାଶ-ପଥରେ ଅଗ୍ରସର-ଯେପରି ଶୁଭ୍ରା ନବମଲ୍ଲିକା ସ୍ତରେ ସ୍ତରେ ଅମଳ-ଧବଳ-ଦଳ-ମାଳା ଅଳ୍ପେ ଅଳ୍ପେ ବିକଶିତ କରିବାର ଉପକ୍ରମ କରୁଅଛି-ଜୀବନର ସେହି ସ୍ନିଗ୍ଧୋଜ୍ଜ୍ୱଳ ସମୟରେ ଶିଶୁ ହୃଦୟର ବ୍ୟାକୁଳତା-ବିହ୍ୱଳ ହୋଇ ବିଦ୍ୟାଦାୟିନୀ ବାଣୀଙ୍କ କୃପା ଭିକ୍ଷା କରେ । ଜୀବନର ସେହି ସ୍ନିଗ୍ଧୋଜ୍ଜ୍ୱଳ-କାଳରେ ବାଣୀଙ୍କ ଭଜନ ଶିଶୁମାନଙ୍କ ପକ୍ଷରେ କର୍ତ୍ତବ୍ୟ ସତ୍ୟ, କିନ୍ତୁ ତାହା ବୋଲି ଯୁବା, ପ୍ରୌଢ଼, ବୃଦ୍ଧ ବା ଅତି ବୃଦ୍ଧ ଯେ ଭାରତୀଙ୍କ ସେବା କରିବେ ନାହିଁ-ବାହ୍ୟ ପ୍ରକୃତି ସହିତ ମାନବପ୍ରକୃତିର ସାମଞ୍ଜସ୍ୟ ରଖି ଉନ୍ନତିପଥରେ ପ୍ରଧାବିତ ହେବେ ନାହିଁ, ଏହା ମନେ କରିବାର କୌଣସି କାରଣ ନାହିଁ । ଏହି ବାଣୀଙ୍କ ସାଧନାରେ ସିଦ୍ଧିଲାଭ କରି ଆଦିକବି ବାଲ୍ମୀକି କବୀନ୍ଦ୍ର-ପଦବି ଲାଭ କରିଥିଲେ । ସେହି ଚତୁର୍ମୁଖ-କଣ୍ଠ-ଶୃଙ୍ଗାଟକ-ବିହାରିଣୀ ସରସ୍ୱତୀ ଭାରତୀୟ କବିକୁଳର ସର୍ବପ୍ରଧାନ ଆରାଧ୍ୟ ଦେବତା । ଏହି ବାକ୍ୟଦେବୀ ଏବଂ ବିଦ୍ୟାଦେବୀଙ୍କର ସୂକ୍ଷ୍ମ-ସୂଚୀ ଏବଂ ବାକ୍‌ତତ୍ତ୍ୱତନ୍ତୁର ବିଚିତ୍ର ବିନ୍ୟାଯୋଗୁଁ ଅନନ୍ତ ଜଗତ୍‌ପଟର ନିର୍ମାଣ-କାର୍ଯ୍ୟ ସୁକୌଶଳରେ ସମ୍ପନ୍ନ ହୁଏ । କାଳିଦାସ, ଭବଭୂତି ଏବଂ ଶ୍ରୀହର୍ଷ ପ୍ରଭୃତି ମହାକବିମଣ୍ଡଳୀ ଏହି ବାଗ୍‌ଦେବୀଙ୍କ ଆରାଧନାରେ ସିଦ୍ଧମନୋରଥ ହୋଇ ପୀୟୁଷ-ନିଷ୍ୟନ୍ଦିନୀ-କବିତାକୁଞ୍ଜର ସୃଷ୍ଟି କରି ଯାଇଅଛନ୍ତି । କଣାଦ, ଗୌତମ, କଣ୍ୱ, ପାଣିନି, କାତ୍ୟାୟନ ପ୍ରଭୃତି ମହର୍ଷିଗଣ ଜଗତରେ ଜ୍ଞାନର ସିତ-ରଶ୍ମି ବିକୀର୍ଣ୍ଣ କରି ଯାଇଅଛନ୍ତି । ଅତଏବ ବସନ୍ତ-ପଞ୍ଚମୀ ! ତୁମ୍ଭର ଶୁଭାହରେ ବାଣୀଙ୍କର ଆରାଧନା କରି ଯେପରି କୃତାର୍ଥ ହେଉଥାଏଁ, ଏହି ଶିକ୍ଷା-ଭିକ୍ଷା ଦେଉଥାଅ । ଏ ଦୀନ ହୀନ ଉତ୍କଳର ଘରେ ଘରେ ତୁମ୍ଭର ଅଭ୍ୟର୍ଥନା ହେଉ । ହେ ଶାରଦେନ୍ଦୁବନ୍ଦନା, ଅରବିନ୍ଦାସନା ବାଣି ! ତୁମ୍ଭର କିଞ୍ଚିତ୍‌ କରୁଣା-କଲ୍ଲୋଳିନୀ ମନୁଷ୍ୟ ସମାଜର ଚିର ନିଖାତ ପୂତିଗନ୍ଧ ସହଜରେ ଅପସାରିତ କରିଥାଏ । ଏହି ଦାରିଦ୍ର୍ୟନିପୀଡ଼ିତ ଉତ୍କଳର ଲଲାଟ-ଲିଖିତ ନିଷ୍ଠୁରାକ୍ଷର ତୁମ୍ଭର କରୁଣାପାଙ୍ଗଦୃଷ୍ଟି ବ୍ୟତୀତ ଅପସୃତ ହେବାର ନୁହେ । ମାତଃ ବାଗୀଶ୍ୱରି ! ଏତିକି କେବଳ ଶ୍ରୀଚରଣରେ ଗୃହୀତ ହେଉ ।

 

କେନ୍ଦ୍ରାପଡ଼ା ବଳଦେବଜୀଙ୍କ ନିକଟରେ ଏହି ବସନ୍ତ-ପଞ୍ଚମୀ ଦିନ କାଞ୍ଚୀ-ଯୁଦ୍ଧ-ଯାତ୍ରା ଏବଂ ମାଣିକୀ ଗଉଡ଼ୁଣୀର ଅଭିନୟ ଉତ୍କଳରେ ଗୋଟିଏ ପ୍ରଧାନ ଦ୍ରଷ୍ଟବ୍ୟ ବିଷୟ । ଯେଉଁମାନେ ଏହା ଦେଖି ନାହାନ୍ତି, ସେମାନେ ଥରେ ଦେଖି ଚରିତାର୍ଥ ହେଉନ୍ତୁ ।

 

ବସନ୍ତ-ପଞ୍ଚମୀ ଉତ୍ତାରୁ ଶିବରାତ୍ରି । କୃଷ୍ଣପକ୍ଷର ଚତୁର୍ଦ୍ଦଶୀ, ନିବିଡ଼ ଅନ୍ଧକାରରେ ବିଶ୍ୱଚରାଚର ଆବୃତ । ଅନ୍ଧକାର-ରାଶି ଘନୀଭୂତ ହୋଇ ଯେପରି ବିଶ୍ୱ ସଂସାରରେ ଅନ୍ଧକାରର ରାଜ୍ୟ ପ୍ରତିଷ୍ଠିତ କରିଅଛି । ତମିସ୍ରା ରଜନୀରେ ଏକ ପ୍ରକାର ଅନିର୍ବଚନୀୟ ସୌନ୍ଦର୍ଯ୍ୟ ବିକଶିତ ହୁଏ ପ୍ରଫୁଲ୍ଲତା, ଆଶା ଓ ସୁଖପ୍ରବୃତ୍ତି ଯାହା ହୃଦୟରେ ଅଧିକ, ସେ ଆଲୋକଭକ୍ତ । ଯାହାଙ୍କ ହୃଦୟ ବିଷାଦ, ନିରାଶା ଏବଂ ଅତୃପ୍ତି ଉପାଦାନରେ ଗଠିତ, ସେ ଅନ୍ଧକାରର ଉପାସକ । ଅମାବାସ୍ୟାର ନିଶୀଥ କାଳରେ ଘନୀଭୂତ ଅନ୍ଧକାରସ୍ତୂପ ମଧ୍ୟରେ ବସି ମନୁଷ୍ୟ ଯେତେବେଳେ ଅନନ୍ତ ନୀଳିମାମୟ ଶୂନ୍ୟଦେଶରେ ଦିଗନ୍ତପ୍ରସାରିତ ଗାଢ଼ନୀଳିମାମୟ ଗଗନପଟରେ ଅନନ୍ତ ନକ୍ଷତ୍ରପୁଞ୍ଜର ଜ୍ୟୋତିର୍ମୟୀ ଶୋଭା ଅବଲୋକନ କରେ, ସେତେବେଳେ ଏକପ୍ରକାର ଅବକ୍ତବ୍ୟ ଭାବୋଚ୍ଛ୍ୱାସରେ ମନଃପ୍ରାଣ ଉଛୁଳି ପଡ଼େ । ସୃଷ୍ଟିରହସ୍ୟର ଗାମ୍ଭୀର୍ଯ୍ୟର ପରିଚୟ ଯଥାର୍ଥରୂପେ ତମୋମୟୀ ରଜନୀ । ପ୍ରକୃତି-ଗ୍ରନ୍ଥର ସ୍ରଷ୍ଟା ଅନନ୍ତ-ନକ୍ଷତ୍ରରୂପ ଜ୍ୟୋତିର୍ମୟ ଜ୍ୱଳନ୍ତ ଅକ୍ଷରାବଳୀରେ ଭ୍ରାନ୍ତ ପାର୍ଥିବ-କ୍ଳେଦ-କ୍ଳିଷ୍ଟ ମାନବ ନିମିତ୍ତ ଅନନ୍ତ ଜୀବନର ଆଶା ଲେଖି ରଖିଅଛନ୍ତି, ଏହି ଜ୍ଞାନ ସ୍ୱଭାବତଃ ମନୁଷ୍ୟ ହୃଦୟରେ ପ୍ରସ୍ଫୁଟିତ ହୋଇଥାଏ । ଏହି ନିବିଡ଼ ତମସ୍ୱିନୀରେ ଶିବରାତ୍ରି ଉତ୍ସବର ଆଲୋକମାଳା ପୁରୀ-ଲୋକନାଥଙ୍କ ଲଙ୍କା-ଆମ୍ର-କୁଞ୍ଜ-ପରିଶୋଭିତ ସିକତା-ଭୂମିରେ, ଶ୍ୱାପଦ-ସଙ୍କୁଳ, ବନସ୍ପତିଗହନ କପିଳାସ ଏବଂ ମହାବିନାୟକ ପର୍ବତର ଗାତ୍ରରେ ଶୋଭା ପାଉଅଛି । ଶାସ୍ତ୍ରକାର କହିଅଛନ୍ତି, ‘‘ଜ୍ଞାନନ୍ମୁକ୍ତିଃ’’–ଜ୍ଞାନଦ୍ୱାରା ମୁକ୍ତିଲାଭ ହୁଏ । ଜ୍ଞାନହିଁ ହୃଦୟରେ ଅମାନିଶାର ଅନ୍ଧକାର ବିଲୁପ୍ତ କରି ଆପଣାର ପ୍ରଭାବ ପ୍ରତିଷ୍ଠିତ କରି ପାରେ । ଅନ୍ଧକାର-ସ୍ତବ୍ଧ ରଜନୀ ଶିବୋପାସନାର ପ୍ରକୃଷ୍ଟ ସମୟ । ଏହି ଅନ୍ଧକାରରେ ଜ୍ଞାନ ବର୍ତ୍ତିକା ପ୍ରଜ୍ୱଳିତ କରି (ଜାଗର-ଦୀପ ଜାଳି) ପ୍ରତି ପ୍ରହରରେ ସେହି ‘‘ସତ୍ୟଂ ଶିବଂ ସୁନ୍ଦରଂ’’ଙ୍କୁ ଆରାଧନା କରିବାର ପ୍ରଣାଳୀ ଅତିଶୟ ହୃଦୟସ୍ପର୍ଶୀ ।

 

ବସନ୍ତ ! ତୁମ୍ଭ ରାଜତ୍ୱରେ କେତେ ପର୍ବ ଉତ୍କଳର ଭିନ୍ନ ଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇ ସେହି ସବୁ ସ୍ଥାନର ଶୋଭା ସମ୍ପାଦନ କରେ । ପୁରୀରୁ ଆରମ୍ଭ କରି ପ୍ରାୟ ପ୍ରତ୍ୟେକ ପ୍ରଧାନ ସ୍ଥାନ ଓ ଗ୍ରାମରେ ଦୋଳଯାତ୍ରା ଉତ୍ସବ-ମୃଦଙ୍ଗ କରତାଳ ଧ୍ୱନିରେ ଦିଗନ୍ତ ପ୍ରକମ୍ପିତ କରି ‘‘ଠାକୁର ବିମାନ-ମେଳନ’’ ଘୋଷଣା କରୁଥାଏ । ସହସ୍ର ସହସ୍ର ନରମୁଣ୍ଡ ଫଗୁରାଗରଞ୍ଜିତ ହୋଇ ଆସ୍ୟକମଳ ଉତ୍ସାହିତ ଏବଂ ପ୍ରଫୁଲ୍ଲ-ରାଗରଞ୍ଜିତ ଦିଶୁଥାଏ । ତେଣେ ଯାଜପୁରର ବୈତରଣୀ ତଟରେ ବାରୁଣୀମେଳା ଏବଂ ଭୁବନେଶ୍ୱରର ଅଶୋକାଷ୍ଟମୀ ମେଳାରେ ଅସଂଖ୍ୟ ନରନାରୀର ସମାଗମ ବିଚିତ୍ର ଦୃଶ୍ୟ ! ଅଶୋକାଷ୍ଟମୀରେ ଶୋକ ନିବାରଣାର୍ଥ ଅଶୋକକଳିକା ସେବନରେ ସମସ୍ତଙ୍କର ଆଗ୍ରହପୂର୍ଣ୍ଣ ଉଚ୍ଛ୍ୱାସ ସଙ୍ଗେ ସଙ୍ଗେ ‘‘ବସନ୍ତ ଗୁଣ୍ଡିଚା’’ରେ ଭୁବନେଶ୍ୱରଙ୍କ ରଥଟାଣିବାର ତତ୍ପରତା ମିଶି ଉତ୍ସାହର ପ୍ରବଳ ବିକାଶ ଦେଖାଇ ଦିଏ ।

 

ମଧୁ ପାର୍ବଣ ମଧ୍ୟରେ ରାମନବମୀ ଯାତ୍ରା ପ୍ରଧାନ ପ୍ରଧାନ ସ୍ଥାନରେ ଅନୁଷ୍ଠିତ ହୁଏ । ଏହା ଉତ୍ତାରୁ ଦମନକ-ଚତୁର୍ଦ୍ଦଶୀ । ଏହି ଯାତ୍ରା କେବଳ ପୁରୀ ଅଞ୍ଚଳରେ ପ୍ରସିଦ୍ଧ । ଦୟା ନଦୀ-କୂଳ ଘୋରଡିହା ଗ୍ରାମରେ ଅନେକ ଦିନରୁ ଏହା ପ୍ରସିଦ୍ଧି ଲାଭ କରିଅଛି ଏବଂ ଆଜିକାଲି ଏହା ଭିଙ୍ଗାରପୁରରେ ଆଡ଼ମ୍ବରସହକାରେ ସମ୍ପନ୍ନ ହେଉଅଛି ।

 

ବସନ୍ତର ଚୈତ୍ର ଶୁକ୍ଳ ଚତୁର୍ଦ୍ଦଶୀରେ ତାଳଚେର ରାଜ୍ୟ ଗୋପାଳପ୍ରସାଦ ଗ୍ରାମରେ ହିଙ୍ଗୁଳା ଦେବୀଙ୍କ ଯାତ୍ରା ଉତ୍କଳପ୍ରସିଦ୍ଧ । ଗୋପାଳପ୍ରସାଦ ଗ୍ରାମରେ ପଥରକୋଇଲାର ଖଣି ଥିବାରୁ ସେହି ଖଣିରେ ଅଗ୍ନି ସଂଯୁକ୍ତ ହୋଇ ସ୍ୱତଃ ଉଦ୍ଭୂତ ହେଲାପରି ଦିଶେ । ଏଣୁ ସାଧାରଣ ଲୋକେ ଏହାକୁ ହିଙ୍ଗୁଳା ଦେବୀଙ୍କ ଅଗ୍ନି କହିଥାନ୍ତି । ଦେବୀଙ୍କ ପୂଜା ସଙ୍ଗେ ସଙ୍ଗେ ଏହି ଅଗ୍ନିରେ ଜୀବନ୍ତ ଛାଗ, ମେଷ ଓ କୁକ୍କୁଟ ପ୍ରଭୃତି ନିକ୍ଷେପ-ପ୍ରଥା ବହୁକାଳରୁ ଚଳି ଆସୁଅଛି, ଏଣୁ ଏହାର ସମାଲୋଚନାରେ ଆମ୍ଭମାନଙ୍କର ଅଧିକାର ନ ଥିଲେହେଁ ଏତିକି କହିବାକୁ ବାଧ୍ୟ ଯେ ଏହା ଗୋଟିଏ ନିତାନ୍ତ ନିଷ୍ଠୁର ପ୍ରଥା । ଏହି ଯାତ୍ରାରେ ବାମଣ୍ଡା, ଲହଡ଼ା, ଅନୁଗୁଳ, ଢେଙ୍କାନାଳ ପ୍ରଭୃତି ସ୍ଥାନମାନଙ୍କରୁ ପ୍ରାୟ ୮।୧୦ ହଜାର ନରନାରୀ ରୁଣ୍ଡ ହୁଅନ୍ତି ।

 

ବସନ୍ତ ! ପୁରାତନକୁ ବିସର୍ଜନ କରି ତାହା ସ୍ଥଳରେ ନୂତନର ଆନୟନ ତୁମ୍ଭର ଚିରନ୍ତନ ଅଭ୍ୟାସ । ପ୍ରକୃତିର ସମ୍ପଦଗୁଡ଼ିକର ପୁରାତନାଂଶ ତୁମ୍ଭେ ନେଇ ନୂତନ ପ୍ରଦାନ କରିଥାଅ । ପ୍ରାଣିରାଜ୍ୟରେ ମଧ୍ୟ ତୁମ୍ଭର ଅପୂର୍ବ ଲୀଳାର ବ୍ୟତିକ୍ରମ ନାହିଁ ପରା ? ତୁମ୍ଭର ଆଗମନରେ ସର୍ପମାନେ ନିଜର ଖୋଳ ପରିତ୍ୟାଗ କରନ୍ତି, ଗୋକ୍ଷୁର, ତମ୍ପ ପ୍ରଭୃତି ବିଷାକ୍ତ ଭୁଜଙ୍ଗସମୂହ ନବକଞ୍ଚୁକ-ବିଭୂଷିତ ହୋଇ ସ୍ୱୀୟ ସୌନ୍ଦର୍ଯ୍ୟବୃଦ୍ଧି ସଙ୍ଗେ ସଙ୍ଗେ ଉଦ୍ଦାମ ଓ ଭୀଷଣ ହୁଅନ୍ତି !

Image

 

ଗ୍ରୀଷ୍ମ

 

ଗ୍ରୀଷ୍ମ ଆସିଲା । ମଧ୍ୟାହ୍ନର ପ୍ରଚଣ୍ଡ ରୌଦ୍ରରେ ନଦୀକୂଳସ୍ଥ ଆମ୍ବତୋଟାରେ ହଳଦିବସନ୍ତର ରାବ ଘେନି, ଦିଗ୍ବଳୟ ନଦୀସୈକତ ଓ ଦୂରବିସ୍ତୃତ ନଦୀତଟ ରଣକୁହେଳୀ ଧାରଣ କରି, ସୂର୍ଯ୍ୟାସ୍ତର ପ୍ରାକାଳରୁ ରଣକୁହେଳୀ ସୂର୍ଯ୍ୟଙ୍କୁ ଆବୃତ କରିବାର ରୁକ୍ଷ ଦୃଶ୍ୟ ସହିତ ଗ୍ରୀଷ୍ମକାଳ ଉପସ୍ଥିତ ହେଲା । ପ୍ରଥମେ ପ୍ରଥମେ ସିନ୍ଦୂରମୁଣ୍ଡିର ରାବରେ ବୃକ୍ଷାବଳୀ କମ୍ପିତ ହୁଏ । ଲାଲ ମୁଣ୍ଡ ହଲାଇ ଯେପରି ଗ୍ରୀଷ୍ମକୁ ସାଦର ସମ୍ଭାଷଣ କରୁଥାଏ । କ୍ରମଶଃ ରୌଦ୍ରର ପ୍ରାଖର୍ଯ୍ୟ ସଙ୍ଗେ ସମସ୍ତ ନୀରବ ହୁଏ-ଚାତକର ଶବ୍ଦ ଶୁଭେ । କାକର ସ୍ୱର ମଧ୍ୟ ନୂତନ ଧରଣର ବୋଧ ହେଉଥାଏ । ମୃତ୍ତିକା ତୃଣଶୂନ୍ୟ ଓ ଦଗ୍ଧପ୍ରାୟ ବୋଧହୁଏ ଏବଂ ମଧ୍ୟାହ୍ନର ଧୂଳ ଓ ଶୁଷ୍କପର୍ଣ୍ଣ ଘେନି ଉତ୍ତପ୍ତ ଘୂର୍ଣ୍ଣିବାୟୁ ପ୍ରବାହିତ ହୁଏ । ସାଧାରଣ ଲୋକେ ଏହାକୁ ‘‘ଖଣ୍ଡିଆ ଭୂତ’’ କହନ୍ତି ।

 

ଗ୍ରୀଷ୍ମକାଳର ଅପର ନାମ ନିଦାଘ । ଏହି ସମୟରେ ନିତାନ୍ତ ନିଷ୍ଠୁର କଠୋର ଏବଂ ଦୁର୍ନିରୀକ୍ଷ ରୁକ୍ଷ ଦୃଶ୍ୟାବଳୀରେ ଦିଗ ଦିଗନ୍ତ ପରିପୂରିତ ହୁଏ । ପରିବର୍ତ୍ତନ ସଂସାରର ନୈମିତ୍ତିକ ଘଟଣା । ବିଚିତ୍ରତାମୟୀ ପ୍ରକୃତି ଦେବୀ ନବ ବେଶ ପରିଧାନ କରି ସଂସାର-ରଙ୍ଗଭୂମିରେ ନୂତନ ସୌନ୍ଦର୍ଯ୍ୟର ନୂତନ ଅଭିନୟ ଆରମ୍ଭ କଲେ । ଏହି ସମୟର ସୁମନ୍ଦକୁସୁମସମ୍ପୃକ୍ତ ସମୀରଣର କଲ୍ଲୋଳମୟ ଆନନ୍ଦୋଚ୍ଛ୍ୱାସ ଏବଂ ପରିଣାମ ରମଣୀୟ ଦିବସର ପ୍ରାରମ୍ଭରେ ଉଷା ଓ ଅରୁଣର ମଧୁର ପ୍ରେମଲୀଳାର ସଲଜ୍ଜ ଈଷତ୍‌ ରକ୍ତିମ ଆଭାରେ କବିକଳ୍ପନାର ଆସନ ପ୍ରତିଷ୍ଠିତ ହେଲା ପରି ବୋଧହୁଏ ।

 

ଗ୍ରୀଷ୍ମ ମଧ୍ୟାହ୍ନରେ କୁକ୍କୁରସମୂହ ଛାୟାରେ ଆଶ୍ରୟ ନେଇ ଆର୍ଦ୍ରଲୋଳ ଜିହ୍ୱା ବାହାର କରି ଧକେଇ ହେଲେଣି । ଆମ୍ର ଉପବନ ଅଥବା ବଟମୂଳରେ ଛେଳି, ମେଣ୍ଢା ଏବଂ ଗୋ-ଗୋଷ୍ଠ ଛାୟାରେ ଶୟାନ ଅଥବା ଦଣ୍ଡାୟମାନ ହୋଇ ନିଦ୍ରାସୁଖ ସମ୍ଭୋଗ କଲେଣି । ଦୂର-ବିସ୍ତୃତ ନଦୀସୈକତ ଝଲଝଲ ଦିଶୁଅଛି । ଦିଗ୍ବଳୟ ମୂଳରେ ପର୍ବତମାଳା ଧୂମାୟିତ ବୋଧ ହେଉଅଛି । ବାଳକମାନେ ଆମ୍ବକଷି ଗୋଟାଇବାରେ ବ୍ୟତିବ୍ୟସ୍ତ । ବୁଦା ଛାଇରେ ପ୍ରଜାପତି ଓ ନାନା ପ୍ରକାର ପତଙ୍ଗସମୂହ ଉଡ଼ି ବୁଲିବାରେ ଏବଂ ପକ୍ଷିମାନେ ବୃକ୍ଷ-ବକ୍କଳ-ସଂଲଗ୍ନ କୀଟ ଆହାରରେ ବ୍ୟାପୃତ । ମହିଷପଲ କର୍ଦ୍ଦମାକ୍ତ ଜଳରେ ଆକଣ୍ଠ-ନିମଜ୍ଜିତ ହେଲେହେଁ କଳା ପିଠିଗୁଡ଼ିକ ଜଳ ମଧ୍ୟରୁ ମୁଗୁନିପ୍ରସ୍ତର-ଖଣ୍ଡ ପ୍ରାୟ ଦୂରରୁ ପ୍ରତୀୟମାନ ।

 

ଚନ୍ଦ୍ରଭାଗା, କୋଣାର୍କ ଓ ହରଚଣ୍ଡୀ ପଥରେ ଏବଂ ଚିଲିକା ପଥର ବିଶାଳ ଟଙ୍କଭୂମିରେ, ମହାନଦୀ, ବ୍ରାହ୍ମୀ ଏବଂ ବୈତରଣୀର ଅନୂପ ଦେଶସ୍ଥ ତରୁଶୂନ୍ୟ ବେଣାପୂର୍ଣ୍ଣ ପାଟରେ ମରୀଚିକା ନିଜର ଦାରୁଣ ପ୍ରଭାବ ବିସ୍ତାର କରୁଅଛି । ପୁରୀର ସମଗରା, ବାଙ୍କିର ଅଂଶୁପା ଏବଂ ମଧୁପୁର ଗଡ଼ ନିକଟସ୍ଥ ଦିଗନ୍ତବ୍ୟାପୀ ପାଟସମୂହରେ ଡାଳୁଅ ଧାନର ଶ୍ୟାମଳ କ୍ଷେତ୍ର ନୟନରଞ୍ଜନ କରୁଅଛି । ବଟବୃକ୍ଷର ପତ୍ରସମୂହ ନୂତନ ରୂପରେ ସ୍ନିଗ୍ଧ, ଚିକ୍କଣ ଓ ହରିତାୟମାନ ହେଲେଣି । ସଙ୍ଗେ ସଙ୍ଗେ ପଦ୍ମରାଗପ୍ରଭ ବଟଫଳ ଶୋଭାରେ ଗଛସମୂହ ନେତ୍ରପ୍ରୀତି ସମ୍ପାଦନ କରୁଅଛି । ଅଶ୍ୱତ୍ଥ ବୃକ୍ଷର ପତ୍ରଗୁଡ଼ିକ ତାମ୍ରାଭ-ହରିଦ୍‌ବର୍ଣ୍ଣରେ ସୁଦୃଶ୍ୟ ହେଲାଣି । ଚୈତ୍ର ଏବଂ ବୈଶାଖ ପ୍ରକୃତହିଁ ପଲ୍ଲବ-ଶ୍ୟାମଳ ମାସ ।

 

ପ୍ରାତଃକାଳର ରଣ-କୁହେଳୀରେ ଶିଶିର ବିନ୍ଦୁ ଘେନି ନବ-ପଲ୍ଲବ-ଶ୍ୟାମଳ କ୍ୱଚିତ୍‌ ନିଷ୍ପତ୍ର ତରୁ କମ୍ପିତ କରି ମଳୟ ବହୁଅଛି । କ୍ଷେତ୍ରସମୂହର କେତକାଂଶରେ ଚାଷ ହେଲାଣି । ପବନ ପୁଷ୍ପିତ ଶିରୀଷ ଏବଂ ପାଟଳୀର ସୁଗନ୍ଧ ବହନ କରି ଆଣୁଅଛି । ଉଦୟକାଳରେ ଅନେକ ଊର୍ଦ୍ଧ୍ୱରେ ସୁଦ୍ଧା ରଣ-କୁହେଳୀରେ ସୂର୍ଯ୍ୟର ମୂର୍ତ୍ତି ବିଶାଳ ରକ୍ତ-କୋକନଦବତ୍‌ ଶୋଭା ପାଉଅଛି । ଅଗ୍ନି କୁମାରୀ (ତୁଣ୍ଡପୋଡ଼ା), ଭଇଞ୍ଚ, ଫିରିକ, ଶଗଡ଼ବାଟୁଆ, ବେତ ପ୍ରଭୃତି ବୁଦାମାନ ନୂତନ କଳେବର ଧାରଣ କରି ମନ୍ଦ ପବନରେ ଆନ୍ଦୋଳିତ ହେଉଅଛନ୍ତି । ନଅରକୋଳି ଗଛର ଡାଳ ସବୁ ହରିଦ୍ରାଭ କୋଳିସମୂହରେ ଗ୍ରଥିତ ପ୍ରାୟ ଦିଶୁଅଛି । ଘୋର ରୌଦ୍ର ସମୟରେ ବନ୍ୟ ଜରିଭୂମିରେ ବରାହ ଏବଂ ଶୂକରମାନେ ଗେଣ୍ଡା ଖୋଳିବାରେ ବ୍ୟସ୍ତ ରହିଅଛନ୍ତି । ମଧ୍ୟାହ୍ନରେ ପର୍ବତ ଏବଂ ବନଭୂମିରେ କୋଚିଲାଖାଇ ଏବଂ କପୋତର ରବ ସମୟ ସମୟରେ ଶୁଭୁଅଛି ଏବଂ ଆମ୍ବତୋଟାରେ ହଳଦିବସନ୍ତ ପଥିକମାନଙ୍କୁ, ସ୍ୱକୀୟ କଣ୍ଠସ୍ୱରର ନମୂନା ଉପହାର ଦେଉଅଛି । ବନ୍ଧୁର-ନଦୀ-ସୈକତ-ତଟ କ୍ଷୀରକୋଳି ଫୁଲରେ ଧବଳିତ ଏବଂ ସୁରଭିତ ହେଉଅଛି । ଶଗଡ଼ବାଟୁଆ ନିକୁଞ୍ଜର ହରିତିମା ଅତି ସୁନ୍ଦର ବୋଧ ହେଉଅଛି । ଜନ୍ଦାଖାଇ ଗଛ ଫଳ-ଭୂଷିତ ହେଲାଣି । କାମିନୀ-କୁସୁମ-ସୌରଭରେ ଚତୁର୍ଦିଗ ଚହଟି ଉଠୁଅଛି । ନଦୀ ପଟୁ ଭୂମି ଶିବ-ପ୍ରିୟ ଗବୀଶ (ଗଇଶ) ଫୁଲରେ ଆଚ୍ଛନ୍ନ ହୋଇଅଛି । ଚତୁର୍ଦିଗରେ ବରୁଣ ଓ ତରାଟ ଫୁଲ ଆବିର୍ଭୂତ ହେଲାଣି ।

 

ଉତ୍କଳର ସମସ୍ତ ଗଡ଼ଜାତ ପ୍ରଦେଶର ପର୍ବତ ଏବଂ ବନଭୂମିରେ ଦାବାଗ୍ନି ଜଳି ଉଠିଲାଣି ଏବଂ ଏଥିରେ ବନଭୂମି ସବୁ ଦିବସରେ ଧୂମାୟିତ ଏବଂ ରାତ୍ରିରେ ଉଜ୍ଜ୍ୱଳାଲୋକାକୀର୍ଣ୍ଣ ହେଲାଣି । ବନଭୂମିର ପଲ୍ୱଳସମୂହରେ ଶିକାରିମାନଙ୍କ ଦୃଷ୍ଟି ପଡ଼ିଲାଣି । କୌଣସି ଜନ୍ତୁ ପାଣି ପିଇବାକୁ ଆସିଲେ ଶିକାରିମାନଙ୍କ ନିକଟରୁ ଆଉ ନିସ୍ତାର ନାହିଁ । ସମୁଦ୍ରତଟ ଓ ନଦୀ-ପଠାର ବେଣାବନରେ ଅଗ୍ନିର ଭୀଷଣ ମୁର୍ତ୍ତି ଦିଶିଲାଣି । ହରିଣଯୂଥର ବିପଦ ଉପସ୍ଥିତ । ଅଗ୍ନିମୁଖରୁ ପଳାୟନ କରି ଶିକାରିଙ୍କ ହାତରେ ପଡ଼ୁଅଛନ୍ତି । ହାୟ, ନିଷ୍ଠୁର ଭବିତବ୍ୟ !

 

ଅନ୍ଧକାର ରାତ୍ରିରେ ମହୁଲ ବୃକ୍ଷ ମୂଳରେ ଭଲ୍ଲୁକକୁଳର ଶୁଭାଗମନ ଏବଂ ପକ୍ୱ ମହୁଲ ଆସ୍ୱାଦନ-ସଞ୍ଜାତ ବିକଟାନନ୍ଦଧ୍ୱନିରେ ଅଧିକାଂଶ ବନଭୂମି ପୂର୍ଣ୍ଣ । ମାତ୍ର ‘‘ଡାଳି-ପାରଧି’’ ପ୍ରଭାବରୁ ସମୟ ସମୟରେ ଭଲ୍ଲୁକର ଆସନ୍ନ-ମୃତ୍ୟୁ-ଚିତ୍କାରରେ ମନୁଷ୍ୟହୃଦୟ ବିଦୀର୍ଣ୍ଣ ହେଉଅଛି । ବାସ୍ତବିକ ଭଲ୍ଲୁକର ମୃତ୍ୟୁ-ଯନ୍ତ୍ରଣା-ଜନିତ ବିଳାପଧ୍ୱନି ହୃଦୟକୁ ଏକାବେଳକେ ସ୍ତବ୍ଧ କରିଦିଏ ।

 

ସନ୍ଧ୍ୟା ସମୟରେ ଶିରୀଷ ପୁଷ୍ପର ସୁଗନ୍ଧ ଦୂରବର୍ତ୍ତୀ ଗ୍ରାମରୁ ଧାନ୍ୟକ୍ଷେତ୍ର ମଧ୍ୟ ଦେଇ ସାନ୍ଧ୍ୟଦକ୍ଷିଣ ସମୀରରେ ଭାସି ଆସୁଅଛି । ଶିରୀଷର ଶେଷରେ ପାଟଳୀ ସେହି ସ୍ଥାନ ଅଧିକାର କରିବ ।

 

ସନ୍ଧ୍ୟା ପରେ ଘର ପାଖର ସିଜୁ ଓ ତେନ୍ତୁଳି ଗଛର ପତ୍ର ସବୁ ମୁଦ୍ରିତ ହୋଇ ଗଛ ନିଦ୍ରିତ ହେଲା ପ୍ରାୟ ଦିଶୁଅଛି । ମାତ୍ର କଦଳୀ, ସଜନା ଗଛ ଏବଂ ଲେଉଟିଆ ଶାଗ ଅର୍ଦ୍ଧରାତ୍ରି ପର୍ଯ୍ୟନ୍ତ ଜାଗରିତ । ଅର୍ଦ୍ଧରାତ୍ରି ଉତ୍ତାରୁ ଏମାନଙ୍କର ପତ୍ର ମୁଦ୍ରିତ ହେଲା ପରି ଦିଶିବ–ଏମାନେ ଶୋଇବେ । ଅର୍ଦ୍ଧରାତ୍ରି ପର୍ଯ୍ୟନ୍ତ ଗୃହସ୍ଥଙ୍କ ଘରେ କେହି ଅତିଥିଙ୍କର କାଳେ ଶୁଭାଗମନ ହେତୁ ପ୍ରୟୋଜନରେ ଲାଗି ପାରନ୍ତି, ଏହା ଭାବି ଏମାନେ ଶୋଇ ନାହାନ୍ତି–ଏହି ପ୍ରାଚୀନ ପ୍ରବାଦ ବାକ୍ୟ ପ୍ରତ୍ୟକ୍ଷଦର୍ଶୀଙ୍କ ପକ୍ଷରେ ସମୀଚୀନ ବୋଧ ହୋଇଥାଏ ।

 

ଜ୍ୟୋତ୍ସ୍ନା-ରାତ୍ରିରେ କୋକିଳ, ଟିଟ୍ଟିଭ ଏବଂ ରାତ୍ରିଶେଷରେ କଜ୍ଜଳପତ୍ରୀ କ୍ରମାନ୍ୱୟରେ ଅଥବା ଏକତ୍ରରେ ରାବ ଦେଉଅଛନ୍ତି । ଚନ୍ଦ୍ର ଅନେକ ଊର୍ଦ୍ଧ୍ୱକୁ ଉଠି ସୁଦ୍ଧା କୁହେଳୀରେ ଆବୃତ । ରାତ୍ରିର ଜ୍ୟୋତ୍ସ୍ନା ମଳିନ ବୋଧ ହେଉଅଛି । ଦୂରସ୍ଥିତ ପର୍ବତାଦିର ରେଖା ଅସ୍ପଷ୍ଟ-ଧୂମିତ ପ୍ରତୀୟମାନ । ଘୋର ଗ୍ରୀଷ୍ମରେ ବାଦୁଡ଼ିମାନେ ସନ୍ଧ୍ୟାରେ ନଦୀସ୍ରୋତରେ ପଡ଼ି ଯାଉଅଛନ୍ତି ଏବଂ କେହି କେହି ମରି ଯାଉଅଛନ୍ତି ।

 

ବୈଶାଖର ପ୍ରଥମ ଦିବସରେ ପଣାସଂକ୍ରାନ୍ତି ଉତ୍ସବ ପ୍ରତି ଘରେ ଅନୁଷ୍ଠିତ ହୁଏ । ପ୍ରତ୍ୟେକ ଲୋକ ନିଜର ବେଦନାପରିପ୍ଳୁତ ବିଷାଦସ୍ମୃତିସମାକୁଳ ପୁରାତନ ବର୍ଷର ଦୁଃଖଦୈନ୍ୟମୟ ଜୀର୍ଣ୍ଣ ଯବନିକା ପରିତ୍ୟାଗପୂର୍ବକ ଅଭିନବ ବେଶରେ ଜୀବନର ନୂତନ ଅଭିନୟ ଆରମ୍ଭ କରୁଅଛନ୍ତି । ‘‘ପଣାସଂକ୍ରାନ୍ତି’’ ଏହାର ଉଦ୍‍ବୋଧନ ।

 

ଗ୍ରାମ୍ୟ ପଣ୍ୟବୀଥିକା, ଦରିଦ୍ରର କୁଟୀର, ଧନିର ଅଟ୍ଟାଳିକା ସର୍ବତ୍ର ଆଜି ଗୋଟିଏ ଐକତାନିକ ଆନନ୍ଦକୋଳାହଳର ହିଲ୍ଲୋଳ ପ୍ରବାହିତ ହେଉଅଛି । କେହି କହି ଦେଉ ନାହିଁ, ଆଜି ନବବର୍ଷର ପ୍ରଥମ ଦିନ । କିନ୍ତୁ ସମସ୍ତଙ୍କ ଚକ୍ଷୁରେ ଆଜି ବସୁନ୍ଧରା ସୁନ୍ଦର ଆନନ୍ଦପୂର୍ଣ୍ଣ । ପ୍ରଭାତ ସୂର୍ଯ୍ୟର କିରଣ ଆଜି ସୁମଧୁର । ବନରାଜି ଗାଢ଼ ହରିତିମା ବେଶ ଧାରଣ କରି ବର୍ଣ୍ଣଗୌରବରେ ଯେପରି ଆଜି ସୃଷ୍ଟିର ପ୍ରଥମ ଦିବସର ମନୋଜ୍ଞ ଶୋଭା ବିସ୍ତାର କରୁଅଛି । ଗ୍ରାମପାର୍ଶ୍ୱସ୍ଥ ପୁନ୍ନାଗ ବନର ହରିତିମା ସର୍ବାପେକ୍ଷା ମନୋହର ବୋଧ ହେଉଅଛି ।

 

ଦୁଇଘଡ଼ି ବେଳ ହେଲା ଉତ୍ତାରୁ ପ୍ରତ୍ୟେକ ଗୃହସ୍ଥ ଘର ତୁଳସୀ ଚଉରା ନିକଟରେ ପୂଜାର ଉଦ୍ୟମ ଲାଗିଅଛି । ଚଉରା ଉପରେ ଗୋଟିଏ ଛାମୁଣ୍ଡିଆ ବନ୍ଧା ହେଲାଣି । ଗୃହିଣୀମାନେ ପ୍ରାତଃସ୍ନାନ ସମାପନାନ୍ତେ ପୂଜାର ଆୟୋଜନରେ ବ୍ୟସ୍ତ ହେଲେଣି । ଗୋଟିଏ ସାନ ଥାଳୀରେ କେତେକ ଓଦା ଅରୁଆ ଚାଉଳ, ଓଦା ମୁଗ, କନ୍ଦ ପ୍ରଭୃତି ଏବଂ ଅପର ଥାଳୀରେ ଛତୁ ଓ ଗୁଡ଼ମିଶ୍ରିତ ନୈବେଦ୍ୟ ସଜ୍ଜିତ ହେଲା । ଗୋଟିଏ ଡାଲାରେ ମଲ୍ଲିକା, କରବୀର, ମନ୍ଦାର ଓ କାଠରଙ୍ଗଣୀ ଫୁଲଗୁଡ଼ିଏ ଏବଂ କେତେକ ତୁଳସୀ ପତ୍ର ସଂଗୃହୀତ ଓ ସଜ୍ଜିତ । ଚନ୍ଦନପେଡ଼ିରେ ଚନ୍ଦନ ଘଷି ଧୂପଦାନୀରେ ଅଗ୍ନି ଏବଂ ଝୁଣା ଦେଇ ରମଣୀମାନେ ପୁରୋହିତଙ୍କୁ ଅପେକ୍ଷା କରୁଅଛନ୍ତି ।

 

ଅଳ୍ପକ୍ଷଣ ଉତ୍ତାରୁ ଦେହରେ ଚଦର ଏବଂ ମୁଣ୍ଡରେ ଓଦା ଗାମଛା ଧାରଣ କରି ଛତ୍ରହସ୍ତ ପୁରୋହିତ ଯଜମାନ ଘରେ ଉପସ୍ଥିତ ହେଲେ । ପଦପ୍ରକ୍ଷାଳନ କରି କୁଶାସନୋପବିଷ୍ଟ ହୋଇ ମନ୍ତ୍ରୋଚ୍ଚାରଣପୂର୍ବକ ଅଳ୍ପକ୍ଷଣ ମଧ୍ୟରେ ପୂଜା ଶେଷ କଲେ ଏବଂ ତୁଳସୀଚଉରା ଉପରିସ୍ଥ ଛାମୁଣ୍ଡିଆରେ ବନ୍ଧା ହୋଇଥିବା ସଚ୍ଛିଦ୍ର ମୃଦ୍ଘଟରେ ଜଳଦାନ କରି ଚାଉଳ ପ୍ରଭୃତି ନୈବେଦ୍ୟ ଗାମୁଛାସ୍ଥ କରି ଦକ୍ଷିଣାନ୍ତ ହୋଇ ଅନ୍ୟ ଯଜମାନଙ୍କ ଗୃହକୁ ପ୍ରସ୍ଥାନ କଲେ । ଆଜି ଗୁଡ଼ସଂଯୋଗରେ ଛତୁ ଆହାରର ବିଧି ସମସ୍ତଙ୍କ ଘରେ ପ୍ରତିପାଳିତ ହେଉଅଛି । ବାଳକ ବାଳିକାମାନଙ୍କ ମୁଖ ହାସ୍ୟବିକଶିତ ।

 

ଗ୍ରାମର ପୁନ୍ନାଗ ବନ ପାର୍ଶ୍ୱ ଦେଇ ପ୍ରଶସ୍ତ ରଥ୍ୟା ସୁଦୀର୍ଘଭୁଜଙ୍ଗବତ୍‌ ବିସର୍ପିତ ଗତିରେ ଚାଲି ଯାଇଅଛି । ଏହି ରାସ୍ତା ଉପରେ କେହି ଅବସ୍ଥାପନ୍ନ ବ୍ୟକ୍ତି ଗୋଟିଏ ଜଳଛତ୍ର ବସାଇଅଛନ୍ତି । ୨।୪ ଜଣ ଗଳଦ୍ଘର୍ମ ପଥିକ ଅତିକଷ୍ଟରେ ଆସି ଏହି ଛତ୍ର ନିକଟରେ କ୍ଳାନ୍ତ ହୋଇ ବସି ପଡ଼ିଲେ ଏବଂ ଦଧିମିଶ୍ରିତ ଜଳ ପାନ କରି ପରିତୃପ୍ତ ହେଲେ । ନବ-ବର୍ଷ ପ୍ରବେଶର ଶୁଭାହରେ ଏଭଳି ଜଳଛତ୍ର ସ୍ଥାପନର ବିଧି ଉତ୍କଳର ଅନେକାଂଶରେ ଦୃଷ୍ଟ ହୁଏ ଏବଂ ଏହି ଦୃଶ୍ୟ ଅତ୍ୟନ୍ତ ହୃଦୟସ୍ପର୍ଶୀ-

 

ଏହି ଦିନ ଉତ୍କଳର ଦିଓଟି ପ୍ରଧାନ ସ୍ଥାନରେ ବୃହତ୍‌ ମେଳା ବସେ । ଗୋଟିଏ ଝଙ୍କଡ଼ର ଶାରଳା ଠାକୁରାଣୀଙ୍କ ନିକଟରେ ଏବଂ ଅପରଟି ବାଙ୍କିର ଚର୍ଚ୍ଚିକା ଦେବୀଙ୍କ ନିକଟରେ । ଉଭୟ ମେଳାରେ ସହସ୍ର ସହସ୍ର ନରନାରୀ ଏକତ୍ରିତ ହୁଅନ୍ତି ଏବଂ ଉଭୟେ ପ୍ରାୟ ଏକ ମାସ ସ୍ଥାୟୀ ହୁଅନ୍ତି-। ବାଙ୍କିର ଚର୍ଚ୍ଚିକା ଦେବୀଙ୍କ ନିକଟରେ ଏହି ଦିବସ ଭୂପୃଷ୍ଠରେ ଗୋଟିଏ ଗର୍ତ୍ତକୁ ଜ୍ୱଳନ୍ତ ଅଙ୍ଗାରରେ ପୂର୍ଣ୍ଣ କରି ତଦୁପରି ‘ପାଟୁଆ’-ମାନଙ୍କର ସଞ୍ଚରଣ ଏହି ମେଳାର ଗୋଟିଏ ବିଚିତ୍ର ଦୃଶ୍ୟ-। ବାଲେଶ୍ୱରର ନିକଟବର୍ତ୍ତୀ ଫରାସୀ ଅଧିକୃତ ‘‘ଫରାସଡ଼ିଙ୍ଗା’’ ନାମକ ଗ୍ରାମରେ ଏହି ଦିନ ‘ପାଟୁଆ’ ମାନଙ୍କର ପିଠି ଫୋଡ଼ି ସେମାନଙ୍କର ପ୍ରକାଣ୍ଡ ବଂଶଦଣ୍ଡ ଉପରେ ଖୁଲିବା ଗୋଟିଏ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ମଧ୍ୟରେ ପରିଗଣିତ ।

 

ପ୍ରାତଃକାଳରୁ ‘‘ବନବାସିଆ ମେଘ’’ ଆକାଶରେ କ୍ଷିପ୍ରଗତି ଆରମ୍ଭ କଲାଣି । ରାମଚନ୍ଦ୍ରଙ୍କ ବନବାସ ସମୟରେ କୌଶଲ୍ୟା ଦେବୀ ଇନ୍ଦ୍ରଦେବଙ୍କଠାରୁ ବର ମାଗିଥିଲେ ଯେ ରାମଚନ୍ଦ୍ରଙ୍କର ବାଟ ଚାଲିଲାବେଳେ ପ୍ରଖର ସୂର୍ଯ୍ୟକିରଣକୁ କିଛି ସମୟ ମେଘାଚ୍ଛାଦିତ କରାଇବେ । ସେହି ମାତୃସ୍ନେହପ୍ରସୂତ ପ୍ରବାଦ ଆଜିଯାଏ ରହି ଗ୍ରୀଷ୍ମ ପ୍ରଭାତର ମେଘସମୂହକୁ ‘‘ବନବାସିଆ-ମେଘ’’ ଆଖ୍ୟା ପ୍ରଦତ୍ତ ହୋଇଅଛି । ତେବେ ଅପରାହ୍ନରେ ମେଘକୁ “କାଳ ବୈଶାଖ”ର ମେଘ କହନ୍ତି । ଅପରାହ୍ଣରେ ହଠାତ୍ ଆକାଶ ମେଘାଚ୍ଛନ୍ନ ହୋଇ ବୃଷ୍ଟି, ବିଦ୍ୟୁତ୍, ଝଡ଼, ଅଶନିପାତ ଏବଂ କରକାପାତ ହୁଏ । ଏ ସମୟରେ ପଥିକର ବିପଦ ଅକଥନୀୟ । ଏହି ବୃଷ୍ଟି ଉତ୍ତାରୁ ପ୍ରକୃତି ଅତି ପ୍ରଫୁଲ୍ଲ ଦିଶେ । ତରୁ ଲତା ସଦ୍ୟସ୍ନାତ ହୋଇ କୋମଳ ଶ୍ୟାମଳିମାରେ ହସୁଥାଏ । ପୃଥିବୀ ଶୀତଳ ହୁଏ ଏବଂ ପବନ କର୍ଷିତ ଭୂମିରୁ ମୃତ୍ତିକାର ସୁଗନ୍ଧ ବହନ କରି ସମସ୍ତଙ୍କୁ ଉପହାର ଦେଉଥାଏ । ବିଲମାନଙ୍କରେ ଶୁଭ ବକ, ଦୟାଳୁ ଓ ଟୋପର ପ୍ରଭୃତି ପକ୍ଷିମାନେ ଚରି ବୁଲି ପୋକ ଆହାର କରୁଥାନ୍ତି ।

 

ପାଣ୍ଡୁରବର୍ଣ୍ଣ ତୃଣସମ୍ପର୍କଶୂନ୍ୟ ଦିଗନ୍ତବିସ୍ତାରୀ କ୍ଷେତ୍ରସମୂହ ପ୍ରଚଣ୍ଡ ରବିକିରଣରେ ଝଲସି ଉଠୁଅଛି ଏବଂ ଚକ୍ଷୁର ଦୁର୍ନିରୀକ୍ଷ ହେଉଅଛି । କେନ୍ଦୁ ଗଛର ଶ୍ୟାମଳ ପତ୍ରୋପରି ପାଟଳ ପଲ୍ଲବଗୁଚ୍ଛ ଆକାଶରେ ପଦ୍ମ ପୁଷ୍ପର ଶୋଭା ବିସ୍ତାର କରୁଅଛି । ବାଲିକୁଦସମୂହରେ ସ୍ୱର୍ଣ୍ଣବର୍ଣ୍ଣ ଏବଂ ରକ୍ତବର୍ଣ୍ଣ ଲଙ୍କା-ଆମ୍ର ପାଚି ମନୋହର-ଦର୍ଶନ ହେଲାଣି । ରୌଦ୍ର ପ୍ରଖର ହୋଇ ବର୍ଷାର ନିକଟ ହେବା ସମୟକୁ ଚାତକ ଡାକିଲାଣି ଏବଂ ଧାନବୁଣା ପୋକର ଝିଁ ଝିଁ ଶବ୍ଦରେ କର୍ଣ୍ଣ ବଧିର ହେଉଅଛି । ବଣି, କାଉ, ବଗ ପ୍ରଭୃତି ବର୍ଷାକାଳର ଆଶ୍ରୟ ସକାଶେ ବଟ ଏବଂ ତେନ୍ତୁଳି ବୃକ୍ଷରେ ବସା ପ୍ରସ୍ତୁତ କରିବାରେ ତତ୍ପର ହେଲେଣି । ଏହି ସମୟରେ ବାୟା ଚଢ଼େଇ ଅପୂର୍ବ ବସା ନିର୍ମାଣ କରନ୍ତି । ଯେଉଁ ବର୍ଷ ଯେଉଁ ଦିଗରୁ ପ୍ରଚୁର ପରିମାଣରେ ବୃଷ୍ଟି ହେବ, ତାହାର ବିପରୀତ ଦିଗରେ ସେମାନଙ୍କ ବସାର ଦ୍ୱାର ପ୍ରସ୍ତୁତ ହେବାର ଦେଖାଯାଏ । ଏମାନେ ପକ୍ଷୀ ଜାତି ହେଲେହେଁ ମାନବବୁଦ୍ଧିର ଅଗମ୍ୟ ପ୍ରକୃତିର ଭବିଷ୍ୟତ୍ କାର୍ଯ୍ୟ ନିୟମିତରୂପେ ବୁଝି ପାରି ପୂର୍ବରୁ ସାବଧାନ ହୁଅନ୍ତି । ଏଥି ନିମିତ୍ତ ‘‘ବାୟାର କି ଯାଏ, ବା କଲେ ବସା ଦୋହଲୁଥାଏ’’ ଏହି ପ୍ରବାଦ ବାକ୍ୟଟି ସର୍ବତୋଭାବରେ ସାର୍ଥକ ହୋଇଥାଏ ।

 

ପୁରୀର ଚନ୍ଦନଯାତ୍ରା ଗ୍ରୀଷ୍ମକାଳର ଗୋଟିଏ ପ୍ରଧାନ ପର୍ବ । ଏହି ଚନ୍ଦନଯାତ୍ରା ଉତ୍କଳର ବିଭିନ୍ନ ସ୍ଥାନରେ ମଧ୍ୟ ଅନୁଷ୍ଠିତ ହୋଇଥାଏ, ମାତ୍ର ପୁରୀର ଲୋକସମାଗମ ଏବଂ ମୌଳିକତାପୂର୍ଣ୍ଣ ଆଡ଼ମ୍ବର ଅନ୍ୟତ୍ର ନାହିଁ । ଚନ୍ଦନ-ପୁଷ୍କରିଣୀ ‘‘ନରେନ୍ଦ୍ର’’ର ଚତୁର୍ଦିଗରେ ଅପୂର୍ବ ଶୋଭା ! ସାୟାହ୍ନରେ ଗୋଟିଏ ଲେଖାଏଁ ମୃତ୍ତିକା କଳସ ଘେନି ପାଣିରେ ଶତ ଶତ ଲୋକଙ୍କ ସନ୍ତରଣ ବିଚିତ୍ର ଦୃଶ୍ୟ ! ତତ୍ପରେ ଚନ୍ଦନଚର୍ଚ୍ଚିତାଙ୍ଗ ହୋଇ ପୁଷ୍ପମାଳାବିଭୂଷିତ ସମସ୍ତଙ୍କର ଆନନ୍ଦୋଚ୍ଛ୍ୱାସ ଅତି ନିର୍ମଳ ଓ ମଧୁରତାରେ ପୂର୍ଣ୍ଣ ହୋଇଥାଏ । ଏହି ଆନନ୍ଦରେ ସଂସାରଯାତନାକ୍ଳିଷ୍ଟ ମାନବର ଦୁଃଖର ସତ୍ତା ନାହିଁ । ଏହି ହେତୁରୁ

 

‘‘ଚନ୍ନ ଯାତ୍ରା ହେଲା, କପାଳ ପାଚିଲା

ସାଙ୍ଗି ବୋଇଲେ ସାଙ୍ଗକୁ,

ଦାଣ୍ଡ ଆଖଡ଼ାରେ ନରେନ୍ଦ୍ର ବେଢ଼ାରେ

ଫୁଲାଇ ଚାଲିବା ବୁକୁ । ’’

 

ଏହି ବାକ୍ୟର ସାର୍ଥକତା ଏବଂ ଦୃଶ୍ୟ ମଧ୍ୟ ସ୍ୱାଭାବିକତାରେ ପୂର୍ଣ୍ଣ ହୋଇଥାଏ ।

 

ଶ୍ରୀ ଜଗନ୍ନାଥଦେବଙ୍କ ବିଜେ ପ୍ରତିମା ମଦନମୋହନଙ୍କର ଚାପ ଭଉଁରି ସମୟରେ ଗୀତ ବାଦ୍ୟର ମଧୁରଝଙ୍କାର ଏବଂ ଉଲ୍ଲସିତ ଜନମଣ୍ଡଳୀର କୋଳାହଳରେ ପ୍ରତ୍ୟେକର ଶରୀର ରୋମାଞ୍ଚିତ ହୋଇଥାଏ ଏବଂ ଉତ୍କଳର ଭକ୍ତ-କବି ଦୀନକୃଷ୍ଣଙ୍କର ସେହି ଅମର ସଙ୍ଗୀତ–‘‘କରୀନ୍ଦ୍ର ଦନ୍ତ ପଲଙ୍କ ତେଜି ପ୍ରଭୁ ନରେନ୍ଦ୍ର ଚାପେ ଗମନ’’ର ତାନ ପ୍ରତ୍ୟେକ ହୃଦୟତନ୍ତ୍ରୀରେ ବାଜି ଉଠେ । ସୁମଧୁର କଳକଣ୍ଠ-ମୁଖରିତ ଏହି ସଙ୍ଗୀତଦ୍ୱାରା ସମସ୍ତଙ୍କର ଚିତ୍ତ ଆକୃଷ୍ଟ ହୁଏ । ନରେନ୍ଦ୍ର ପୁଷ୍କରିଣୀରେ ଚନ୍ଦନଯାତ୍ରାର ସୌନ୍ଦର୍ଯ୍ୟ ସଙ୍ଗେ ‘ଆଶାବରୀ’ ରାଗିଣୀର ମଧୁରିମା ମିଶ୍ରିତ ହୋଇ ଯଥାର୍ଥରୂପେ ମଣିକାଞ୍ଚନର ସଂଯୋଗ ପରି ବୋଧହୁଏ ।

 

ସାବିତ୍ରୀ ଅମାବସ୍ୟାରେ ନବବିବାହିତା କନ୍ୟାମାନଙ୍କର ଶ୍ୱଶୁରାଳୟରୁ ପିତ୍ରାଳୟକୁ ‘‘ଭାର’’ ଚାଲିଅଛି । ଏହି ପର୍ବର ନୈବେଦ୍ୟ କଞ୍ଚା ଫଳ ମୂଳ ପିଲାଦିନରେ କେତେ ଖାଇଥିଲି-ସେହି ପୁରାତନ ଅସ୍ଫୁଟ ବାଲ୍ୟସ୍ମୃତି ବର୍ତ୍ତମାନ ସୁଦ୍ଧା ହୃଦୟରେ ଜାଗ୍ରତ ରହିଅଛି । ଆମ୍ବ, ପଣସ, ନଡ଼ିଆ, ଓଦା ମୁଗ, ବୁଟ, କ୍ଷୀରକୋଳି, ତରଭୁଜ, ଫୁଟି, ଖଜୁରକୋଳି ଓ ତାଳସଜ ପ୍ରଭୃତିରେ ନୈବେଦ୍ୟ ସଜ୍ଜିତ ଥାଏ ଏବଂ ତିଥି ଉପରେ ପିଲାଦିନର ସେହି ସତଷ୍ଣ ଦୃଷ୍ଟିସ୍ୱରୂପ ବାଳଚାପଲ୍ୟର କଥା ଭାବି ଆଜିକାଲି ସେହି ସରଳତାମୟ କଳଙ୍କଶୂନ୍ୟ ଜୀବନ ଫେରି ପାଇବା ସକାଶେ ହୃଦୟରେ ପ୍ରବଳ ଆକାଙ୍କ୍ଷା ସଞ୍ଜାତ ହୁଏ ।

 

ଶୀତଳ ଷଷ୍ଠୀ ଅର୍ଥାତ୍ ଶିବ-ବିବାହ ଗ୍ରୀଷ୍ମର ଗୋଟିଏ ପ୍ରଧାନ ଉତ୍ସବ । ବ୍ରାହ୍ମଣଶାସନସମୂହରେ ଏହାର ଆଡ଼ମ୍ବର ପ୍ରାଧାନ୍ୟ ବିଶେଷଭାବରେ ଲକ୍ଷିତ ହୋଇଥାଏ । ଏହି ଯାତ୍ରାରେ ଶିବବିବାହୋପଲକ୍ଷରେ ଉକ୍ତ ଶାସନସମୂହ ନାନାବିଧ ବାଣର ଶବ୍ଦରେ କମ୍ପିତ ହୁଏ ଏବଂ ଏହି ବାଣପ୍ରଦର୍ଶନ ଗୋଟିଏ ସର୍ବପ୍ରଧାନ ଦ୍ରଷ୍ଟବ୍ୟ ବସ୍ତୁ ମଧ୍ୟରେ ପରିଗଣିତ । ସମଗ୍ର ଉତ୍କଳରେ ଏହାର ସମକକ୍ଷ ବ୍ୟାପାର ଦୃଷ୍ଟ ହୁଏ ନାହିଁ । ଏହି ଉପଲକ୍ଷରେ ଶାସନସ୍ଥ ବ୍ରାହ୍ମଣବର୍ଗଙ୍କୁ ଏକମାସବ୍ୟାପୀ ପରିଶ୍ରମ, ବହୁ ପୁରାତନ ତାଳପତ୍ର ପୋଥିଗର୍ଭସ୍ଥ ପରିମାଣ ଅନୁସାରେ ବାଣ-କାର୍ଯ୍ୟସମୂହର ଉତ୍କୃଷ୍ଟତମ ନିଦର୍ଶନ ପ୍ରାୟ ପ୍ରତ୍ୟେକ ଶାସନରେ ପ୍ରଦର୍ଶିତ ହୋଇଥାଏ । ଏହି ରାତ୍ରିରେ ପ୍ରତି ଶାସନରେ ଅଜସ୍ର ଅର୍ଥ ବ୍ୟୟ ହୁଏ ସତ୍ୟ, ମାତ୍ର ବ୍ରାହ୍ମଣମାନଙ୍କ ନିର୍ମଳ ଆନନ୍ଦକୋଳାହଳ ଦେଖିଲେ ଏହି ଅର୍ଥବ୍ୟୟ କେବଳ ଅଗ୍ନିରେ ଅର୍ଥନିକ୍ଷେପ ବୋଲି ବୋଧ ହୁଏ ନାହିଁ । ବାଣ-କାର୍ଯ୍ୟ ସବୁ ପ୍ରାଚୀନ ଧରଣର ଓ ସମୟ ସମୟରେ ମାରାତ୍ମକ ହୋଇଥାଏ ସତ୍ୟ, ମାତ୍ର ଏହି କାର୍ଯ୍ୟ ସବୁ ପ୍ରାଚୀନ ତାଳପତ୍ର ପୋଥି ପ୍ରସାଦରୁ ସଜୀବ ରହିଅଛି ଭାବି ଆମ୍ଭେମାନେ ଭାଗ୍ୟବାନ୍ । କାଳକ୍ରମେ ଏହି ସଭ୍ୟ ଯୁଗ ପ୍ରସାଦରୁ ଏ ସମସ୍ତ ଅଚିରେ ଲୋପ ପାଇବ ବୋଲି ବୋଧ ହେଉଅଛି । ବାଣ କାର୍ଯ୍ୟଗୁଡ଼ିକର କେତେକ ଅଶ୍ରୁତପୂର୍ବ ନାମ ନିମ୍ନରେ ପ୍ରଦତ୍ତ ହେଲା, ଏହି ନାମସମୂହରୁ ଅଗ୍ନିକ୍ରୀଡ଼ାର ବିଚିତ୍ର କରଣି ସ୍ୱତଃ ପ୍ରକାଶିତ ହେଉଅଛି :–

 

(୧)

ହାବେଳୀ :–

 

 

ଅଜ୍ଞାନ-ବିଚ୍ଛା

ବିଜୟ-ନୃସିଂହ

 

 

ନନ୍ଦୀଘୋଷ

ବୈରିଗଞ୍ଜନ

 

 

ହରଚଣ୍ଡୀପ୍ରସାଦ

ସୁରେନ୍ଦ୍ର-ଗିରି-ଚଡ଼କ-ଚମ୍ପକ ମହାମେଘନାଦ

 

 

କାଳିକା-ପ୍ରସାଦ

ସିଦ୍ଧେଶ୍ୱର ପ୍ରସାଦ

 

 

ମେଷଯୁଦ୍ଧ

ଘଡ଼କ

 

 

ଜମ୍ବେଇ ରଥ

ଲିଭିଲଗା

 

 

ହନୁମାନ-ପ୍ରସାଦ

ଡାହାଣ-ବାହାଣ

(୨)

ଅନ୍ୟାନ୍ୟ ବାଣ :–

 

 

ଆକାଶମଲ୍ଲୀ

ସ୍ୱନଚମ୍ପା

 

 

ତୁମ୍ବ

କୁମ୍ପି

 

 

ଦଅଣା

ଜାଇ

 

 

ଚନ୍ଦ୍ରଦୀପ

ଭୂଇଁଚକ୍ର

 

 

ଶୂନ୍ୟଚକ୍ର

ନାକକଟା ଚନ୍ଦ୍ରଉଦିଆ ।

 

ଶୀତଳ ଷଷ୍ଠୀ ଉତ୍ତାରୁ ଚମ୍ପକଦ୍ୱାଦଶୀ-ରୁକ୍ମିଣୀ-ବିବାହୋତ୍ସବ । ଏହି ଉତ୍ସବର ସମାରୋହ ତିଗିରିଆ ଗଡ଼ରେ ପ୍ରଧାନ ।

 

ଦେବସ୍ନାନ ପୂର୍ଣ୍ଣିମା ପୁରୀର କାହିଁକି, ଉତ୍କଳର ଗୋଟିଏ ପ୍ରଧାନ ପର୍ବ । ଏଥିରେ ଶ୍ରୀଜଗନ୍ନାଥଦେବଙ୍କ ସ୍ନାନ-ଦର୍ଶନ ଉପଲକ୍ଷରେ ସହସ୍ର ସହସ୍ର ନରନାରୀ ସମଗ୍ର ଉତ୍କଳ ଏବଂ ବଙ୍ଗଦେଶରୁ ପୁରୀରେ ରୁଣ୍ଡୀଭୂତ ହୁଅନ୍ତି ଏବଂ ସ୍ନାନ ଉତ୍ତାରୁ ଜଗନ୍ନାଥ ଦେବ ଏକ ପକ୍ଷ କାଳ ମନ୍ଦିରରେ ଆବଦ୍ଧ ରହି କାହାରିକୁ ଦର୍ଶନ ଦିଅନ୍ତି ନାହିଁ । ସୁତରାଂ ସମବେତ ନରନାରୀ ଏକ ପକ୍ଷ ସକାଶେ ଏହି ସ୍ନାନପୂର୍ଣ୍ଣିମା ଦିନ ଜଗନ୍ନାଥଙ୍କୁ ନୟନପୂରାଇ ଦର୍ଶନ କରି ନିଅନ୍ତି ।

 

ଗ୍ରୀଷ୍ମକାଳରେ ସମସ୍ତ ଗ୍ରାମରେ ଅଳ୍ପାଧିକ ପରିମାଣରେ ଜଳାଭାବ ଲକ୍ଷିତ ହୁଏ । ଯେଉଁ ପୁଷ୍କରିଣୀରେ ବର୍ଷ ମଧ୍ୟରେ ଏଗାରମାସ ପାଣି ଥାଏ, ସେଥିରେ ଦାରୁଣ ରୌଦ୍ର ହେତୁ ୮।୯ ମାସ ପାଣି ରହିବାର କଷ୍ଟ । ପୁଷ୍କରିଣୀଗର୍ଭ ଶୁଖିଯାଇ ମାଟି ଫାଟି ଯାଇଅଛି । ଠିକ୍ ମଧ୍ୟସ୍ଥଳର ପଙ୍କୋପରି କେତେକ ଅଙ୍ଗୁଳ ଜଳ ଅଛି, ତାହା ବର୍ତ୍ତମାନ ଅବ୍ୟବହାର୍ଯ୍ୟ ହେଲାଣି । ଗଉଡ଼, କେଉଟ, ଚଷା ପିଲାମାନେ ସେହି ପାଣି ମଧ୍ୟରେ ସ୍ଥାନେ ସ୍ଥାନେ କାଦୁଅଦ୍ୱାରା ଗୋଟିଏ ଗୋଟିଏ ହିଡ଼ ପ୍ରସ୍ତୁତ କରିଅଛନ୍ତି ଏବଂ ସେହି ହିଡ଼ର ବିଭିନ୍ନ ଦିଗରେ ଲୁଗାରେ ଛାଣି ମାଛ ଧରିବାରେ ବ୍ୟସ୍ତ-। ମାଛ ପ୍ରାୟ ବାହାରୁ ନାହିଁ, କେବଳ ‘‘ତୋଡ଼ି’’ ମାଛ ଗୋଟିଏ ଦିଓଟି ବାହାରି ପଡ଼ୁଅଛନ୍ତି । ଏତିକି ପାଇ ଏମାନେ ଆନନ୍ଦରେ କୋଳାହଳ-ନୃତ୍ୟ କରୁଅଛନ୍ତି, ପରସ୍ପରର ଗାତ୍ରରେ କାଦୁଅ ନିକ୍ଷେପ କରୁଅଛନ୍ତି ଏବଂ ସେମାନଙ୍କର ଉଚ୍ଚ ହାସ୍ୟରେ ସ୍ତବ୍ଧ ମଧ୍ୟାହ୍ନର ସେହି ବୃକ୍ଷ-ଛାୟା-ପରିବେଷ୍ଟିତ ଶୁଷ୍କ ଜଳାଶୟର ଚତୁର୍ଦ୍ଦିଗ ପ୍ରତିଧ୍ୱନିତ ହୋଇ ଉଠୁଅଛି । ଗୋଟିଏ ଯୋଡ଼ିଏ ପିପାସାକ୍ଳାନ୍ତ କପୋତ ଆକଣ୍ଠ ଜଳପାନ ଆଶାରେ ବହୁଦୂରରୁ ଉଡ଼ି ଘର୍ମାକ୍ତ ବକ୍ଷରେ ପୁଷ୍କରିଣୀତୀରକୁ ଆସି ବୃକ୍ଷ ଡାଳରେ ବିଶ୍ରାମ ଗ୍ରହଣ କରିବାର ଉଦ୍ୟମ କରୁଥିଲେ, ମାତ୍ର ବାଳକମାନଙ୍କ ଉଚ୍ଚ ହାସ୍ୟରେ ଭୟାର୍ତ୍ତ ହୋଇ ଉଡ଼ି ପଳାଇଲେ !

 

ଧୂସର ଆକାଶରୁ ସୂର୍ଯ୍ୟଦେବ ଜ୍ୱାଳାମୟ କିରଣ ବର୍ଷଣ କରୁଅଛନ୍ତି । ପବନରେ ଧୂଳି ଏବଂ ବୃକ୍ଷର ଶୁଷ୍କ ପତ୍ରସମୂହ ଉଡ଼ୁଅଛି, ରୌଦ୍ରକାତର ଉତ୍ତପ୍ତ ପ୍ରକୃତିଙ୍କର ନିଦାଘ କ୍ଳାନ୍ତିରେ ବିନ୍ଦୁମାତ୍ର ଭ୍ରୂକ୍ଷେପ ନ କରି ଗୋଟିଏ କୋକିଳ ଆମ୍ର ବୃକ୍ଷର ଘନ ପତ୍ର ମଧ୍ୟରୁ ‘‘କୁହୁ କୁହୁ’’ ରବ ଦେବାରେ ବ୍ୟସ୍ତ । କୋକିଳର କୁହୁତାନ ନୀରବ ହୋଇ ସିନ୍ଦୂରମୁଣ୍ଡିର ‘‘କକ୍‌ କକ୍‌’’ ଆରମ୍ଭ ହେଲା-। କ୍ରମଶଃ ଅପରାହ୍ଣରେ ଚାତକର ଆର୍ତ୍ତନାଦ ବର୍ଷାକୁ ଆହ୍ୱାନ କଲା ।

Image

 

ବର୍ଷା

 

ବିଲ, ଖାଲ, ପଲ୍ୱଳ, ନଦୀ ପ୍ରଭୃତି ଜଳାଶୟ ଗ୍ରୀଷ୍ମର ପ୍ରଚଣ୍ଡ ରୌଦ୍ରୋତ୍ତାପରେ ଶୁଖି ରହିଥିଲା, ଜ୍ୟେଷ୍ଠ ଶେଷର ଘନ ବର୍ଷଣରେ ତହିଁରେ ନବପ୍ରାଣ ସଞ୍ଚାରିତ ହେଉଅଛି । ଗ୍ରାମ ଓ ନଗରର ପ୍ରାନ୍ତବାହିନୀ ତରଙ୍ଗିଣୀର ଶୀର୍ଣ୍ଣ ଦେହରେ ନବ ଲାବଣ୍ୟ ବିକଶିତ ହେଉଅଛି । ବର୍ଷାକାଳର ପୂର୍ବାହ୍ଣରେ କଜ୍ଜଳକାନ୍ତି କାଦମ୍ବିନୀର ଘନ ବର୍ଷଣ ଯୋଗୁଁ ସିକତାଶୋଭିତାତରଙ୍ଗିଣୀର ଶୁଷ୍କ ହୃଦୟରେ କଲ୍ଲୋଳମୟୀ ବନ୍ୟାର ଚାଞ୍ଚଲ୍ୟମୟୀ ଶୋଭା ଅବଲୋକନ କରି ସମସ୍ତଙ୍କର ଆବେଗ-ଚଞ୍ଚଳ ହୃଦୟରେ ସିକ୍ତ ସୁକୋମଳ ଅନୁଭୂତିର ବିକାଶ ହୋଇଥାଏ ।

 

ଆଷାଢ଼ର ବିଦ୍ୟୁଦ୍ଦାମସ୍ଫୁରିତ ମେଘମାଳା, ନିଦାଘର ଦୀର୍ଘସଞ୍ଚିତ ଉତ୍ତାପ-କ୍ଳାନ୍ତିହର ପ୍ରାବୃଟର ପ୍ରବଳ ବର୍ଷଣ, ଜଳାଶୟସମୂହରେ ନବଜାଗ୍ରତ ଦର୍ଦ୍ଦୂରମଣ୍ଡଳୀର ଧୈବତ ଧ୍ୱନି, ଧାରାପାତପୁଷ୍ଟ ତୃଣାଙ୍କୁର ଏବଂ ବୃକ୍ଷ ଲତାର ସ୍ନିଗ୍ଧ ଶ୍ୟାମ ସୌନ୍ଦର୍ଯ୍ୟମୟ ଶାଖାପଲ୍ଲବର ପ୍ରଚୁରୋଦ୍ଗମ ସହିତ ଉତ୍କଳୀୟଙ୍କ ହୃଦୟରେ ନବବର୍ଷାର ପ୍ରାଚୀନ ଉତ୍ସବାନନ୍ଦ ଜାଗରିତ ହୁଏ । ସେହି ମଧୁର ଉତ୍ସବ ରଜସଂକ୍ରାନ୍ତି ।

 

ରଜସଂକ୍ରାନ୍ତିର ଉତ୍ସବ ଦିବସତ୍ରୟବ୍ୟାପୀ । ଏହି ତିନି ଦିନରେ ସବୁ କାର୍ଯ୍ୟ ବନ୍ଦ ହୁଏ । କୃଷିକାର୍ଯ୍ୟ ଏବଂ ଅନ୍ୟାନ୍ୟ ମୂଲ ଲାଗିବା କାର୍ଯ୍ୟସମୂହ ମଧ୍ୟ ଏକାବେଳକେ ନିଷିଦ୍ଧ । ସମସ୍ତ ଗୃହ ଲିପା ହୋଇ ପରିଷ୍କୃତ ହୁଏ ଏବଂ କାନ୍ଥ ଦେହରେ ଗୋଟିଏ ଗାଢ଼ ଗୋମୟ ରେଖା ଅଙ୍କିତ ହେବାର ବିଧି ଅଛି । ସମସ୍ତଙ୍କ ଘରେ ପିଠା ପ୍ରସ୍ତୁତ ହେବାର ଆୟୋଜନ ହୁଏ । କରଣ ପ୍ରଭୃତି ସମ୍ଭ୍ରାନ୍ତବଂଶୀୟା ମହିଳାବର୍ଗ ଭୂଇଁଲଅଁଣ ଦିନ ଭୂମିରେ ପଦନିକ୍ଷେପ କରନ୍ତି ନାହିଁ, କଦଳୀପଟୁକାର ଜୋତା ବ୍ୟବହାର କରିଥାନ୍ତି । ଏହାର କାରଣ, ସେହି ଦିନଟି ଧରିତ୍ରୀଦେବୀଙ୍କ ବିଶ୍ରାମ ବାସର । ଅସଂଖ୍ୟ ମନୁଷ୍ୟସମାଜର କୋଟି କୋଟି ଚରଣ ଧରଣୀ ମସ୍ତକରେ ଆରୋପିତ । ସର୍ବଂସହା ଆମ୍ଭମାନଙ୍କର କେତେ ଭାର ଅକ୍ଳାନ୍ତଭାବରେ ବହନ କରୁଅଛନ୍ତି, ତାହାର ଇୟତ୍ତା କିଏ କହିପାରେ-? ସୁତରାଂ ଅନନ୍ତ ଜୀବକୁଳର ଅନନ୍ତ ନୃତ୍ୟ ଏବଂ ଅନନ୍ତ ଘାତପ୍ରତିଘାତର ବିଷମ ବେଦନାରୁ ବର୍ଷକ ମଧ୍ୟରେ ଦିନ ଗୋଟିଏ ବସୁନ୍ଧରାକୁ ଛୁଟି ଦେବାର ବିଧି ଉତ୍କଳୀୟ ହିନ୍ଦୁସମାଜରେ ଆବହମାନକାଳରୁ ଚଳି ଆସୁଅଛି । ଧନ୍ୟ ହିନ୍ଦୁ ଜାତି ! ଧନ୍ୟ ଧନ୍ୟ ତୁମ୍ଭର ବିଶ୍ୱବ୍ୟାପୀ ସମଗ୍ରଗ୍ରାହୀ ଏବଂ ସମଗ୍ରଦର୍ଶୀ ବିଚାର ! ଅନ୍ୟ ଜାତି ଏବଂ ଅନ୍ୟ ଧର୍ମାବଲମ୍ବିଙ୍କ ପକ୍ଷରେ ଏହା ଉପହାସର ସାମଗ୍ରୀ ହୋଇ ପାରେ, କିନ୍ତୁ ହିନ୍ଦୁଶାସ୍ତ୍ର ଏବଂ ହିନ୍ଦୁସମାଜର ଏହି ସୁପ୍ରତିଷ୍ଠିତ ପ୍ରଣାଳୀ ଅତ୍ୟୁତ୍କୃଷ୍ଟ ମାନବପ୍ରକୃତିର ଅନିବାର୍ଯ୍ୟ ଅଭିବ୍ୟକ୍ତି ବ୍ୟତୀତ ଆଉ କିଛି ନୁହେ । ଯେଉଁ ମାଟିରେ ମନୁଷ୍ୟର ମାଟିଘଟ ଗଢ଼ା ହୋଇଅଛି, ଯହିଁରେ ଜୀବନୀ ଶକ୍ତି ସଞ୍ଚାରର ଉପାଦାନସ୍ୱରୂପ ଶସ୍ୟାବଳୀର ଉତ୍ପତ୍ତି ହୁଏ, ସେହି ମାଟି,-ସେହି ପୃଥିବୀର ପୂଜା ମାନବର ସ୍ୱତଃସିଦ୍ଧ ସ୍ୱଭାବ ବୋଲି ଉତ୍କଳୀୟ ହିନ୍ଦୁସମାଜରେ ଏ ପ୍ରଥା ଚିରକାଳ ଆଦୃତ ହୋଇ ଆସୁଅଛି !

 

ଘୋର ଅନ୍ଧକାର ସହିତ ମେଘଗର୍ଜ୍ଜନ ଆରମ୍ଭ ହେଲାଣି । ବୃଷ୍ଟିଧାରାପତନର ଶବ୍ଦ ସହିତ ବିଲମାନଙ୍କରେ ବକ ଏବଂ ଭେକର ଧାରାବାହିକ ରବ ଶ୍ରୁତ ହେଉଅଛି । କଦମ୍ବ ଫୁଲରେ ବସି ମଧୁମକ୍ଷିକା ଗୁଣୁ ଗୁଣୁ ସ୍ୱନ ଆରମ୍ଭ କଲାଣି । ପିଙ୍ଗଳାଭାସ ଇନ୍ଦ୍ରଗୋପସମୂହ (ସାଧବଘର ବୋହୂ) ପ୍ରଫୁଲ୍ଲ କୋମଳ ତୃଣ ମଧ୍ୟରୁ ଥରେ ଥରେ ଆବିର୍ଭୂତ ହୋଇ ଅପୂର୍ବ ଶୋଭାର ବିକାଶ କରୁଅଛନ୍ତି । ଦିଗ୍ବଳୟବ୍ୟାପୀ ଇନ୍ଦ୍ରଧନୁ ସମୟେ ସମୟେ ତ୍ରିବର୍ଣ୍ଣ-ରଞ୍ଜିତ ସୌନ୍ଦର୍ଯ୍ୟ ଘେନି ନୟନାନନ୍ଦ ସମ୍ପାଦନ କରୁଅଛି । ଫେନଯୁକ୍ତ, କର୍ଦମାକ୍ତ ଜଳର ବନ୍ୟା ନଦୀବକ୍ଷରେ ବୋହି ଆସୁଅଛି । ପର୍ବତ ଏବଂ ବନଭୂମିରେ ଅହରହ କେକାରବ ଶୁଭିଲାଣି ।

 

ଅପରାହ୍ଣର ଆକାଶରେ ନବୀନ ନୀଳ କାଦମ୍ବିନୀ ଘନୀଭୂତ ହୋଇ ଆସୁଅଛି । ନଦୀର ଅପର ପାର୍ଶ୍ୱରେ ବହୁଦୂରବର୍ତ୍ତୀ ଶୈଳରାଜି ବୃଷ୍ଟିଧାରା ପାତରେ ଅସ୍ପଷ୍ଟ ଦିଶୁଅଛନ୍ତି । ବଳାକାଶ୍ରେଣୀ ଶୁଭ୍ର ପକ୍ଷ ବିସ୍ତାର କରି କୌଣସି ଅନୁଦ୍ଦିଷ୍ଟ ଜଳାଶୟ ଲକ୍ଷ୍ୟ କରି ଉଡ଼ି ଯାଉଅଛନ୍ତି । ଏହା ଦର୍ଶନ କଲେ ମହାକବି ଉପେନ୍ଦ୍ରଭଞ୍ଜଙ୍କ ବର୍ଣ୍ଣିତ କଜ୍ଜଳକାନ୍ତି ମେଘରୂପୀ ଶାର୍ଦୂଳର ଶୁଭ୍ର ଦନ୍ତାବଳୀ ବିକାଶବତ୍ ଅନୁଭୂତ ହୁଏ । ଏହି ଚିତ୍ରଟି ନିତାନ୍ତ ସ୍ୱାଭାବିକ ବୋଲି ନିମ୍ନୋଦ୍ଧୃତ ହେଲା :–

 

‘‘ପ୍ରବେଶ ହୋଇଲା ବରଷାକାଳ

ପ୍ରମାଦମାନଙ୍କ ଜନମ ସ୍ଥଳ,

ଜଳଦ କଜ୍ଜଳକାନ୍ତି ଶାର୍ଦ୍ଦୂଳ

ସୁଖେ ବିହରିଲା ଶିଖରିଚୂଳ,

ଗର୍ଜିଲା ସନ୍ତତ,

ପ୍ରକାଶି ଝଳି ବକାବଳୀଦନ୍ତ । ’’

 

ଗୃହ ଚାଳ ଏବଂ କୋଣରେ ପୀତାଭ ଜହ୍ନିଫୁଲ ଫୁଟି ଅତିଶୟ ରମଣୀୟ ଦିଶୁଅଛି । ‘‘ଜହ୍ନିଫୁଲ ଠୋ ଠା, ଚୂଟିଆମୂଷା କହି ଯାଇଛି, ଚାଉଳ ମୁଠିଏ ଦେଇଥା’’–ଶିଶୁମାନଙ୍କ ଏହି ଉଚ୍ଚ ଐକତାନିକ ରାବରେ ଗ୍ରାମ ଦାଣ୍ଡ ପ୍ରକମ୍ପିତ ହେଉଅଛି । ‘ତାରିଣୀ’ ବ୍ରତ ପଡ଼ିବାରୁ ପ୍ରତି ଗୃହସ୍ଥ ଦ୍ୱାର ସମ୍ମୁଖରେ ସ୍ତ୍ରୀମାନେ ଗୋଟିଏ ଗୋଟିଏ ମନ୍ଦା ଖୋଳି ପାଣି ପୂର୍ଣ୍ଣ କରି ତାହାକୁ ପୁଷ୍ପପରିଶୋଭିତ କରୁଅଛନ୍ତି ଏବଂ ହୁଳହୁଳି ଶବ୍ଦରେ ଦିଗନ୍ତ ପ୍ରତିଧ୍ୱନିତ ହେଉଅଛି । ଏହିସବୁ ସରଳ, କୋମଳ ଓ ନିରୀହ ଗ୍ରାମ୍ୟ ଦୃଶ୍ୟ ମନରେ ଯେଉଁ ଭାବ ସୂଚନା କରେ ତାହା ପ୍ରକୃତରେ ଅବ୍ୟକ୍ତ, ସୁତରାଂ ସମ୍ୟକ୍ ପ୍ରକାଶ କ୍ଷମତାତୀତ ସିନା ? ରାଶି ରାଶି ହଳଦିଆ, ଧଳା ଓ ରଙ୍ଗ ବଧୂଲୀ ପୁଷ୍ପ (ରଙ୍ଗଣୀ ଫୁଲ) ପ୍ରସ୍ଫୁଟିତ ହୋଇ ସନ୍ଧ୍ୟାର ଆଗମନବାର୍ତ୍ତା ଘୋଷଣା କରୁଅଛି । ଅଦୂରବର୍ତ୍ତୀ ଝାଉଁଗଛର ଶୀର୍ଷଦେଶ କମ୍ପିତ ହୋଇ ଅନବରତ ସାଁ ସାଁ ଶବ୍ଦ କରୁଅଛି ଏବଂ କେତେଗୋଟି କଜଳପାତି ଆଲୋକାନ୍ଧକାର ମଧ୍ୟରେ ଉଡ଼ି ଉଡ଼ି କାକୁଡ଼ିର କ୍ଷୁଦ୍ର, କ୍ଷୁଦ୍ର, ଫୁଲଗୁଡ଼ିକ କାଟି କାଟି ଅର୍ଥହୀନ ଭାଷାରେ କେତେ ପ୍ରକାର ପ୍ରଳାପ କରୁଅଛନ୍ତି । ବର୍ଷାର ସିକ୍ତ-ସାୟାହ୍ନ-ବାୟୁ-ତାଡ଼ିତ ଝାଉଁଗଛର ଏହି ଦୀର୍ଘ ଘର୍ମୋତ୍ସାସ ଏବଂ ବିହଙ୍ଗମକୁଳର ଏହି ବିଚିତ୍ର ସାନ୍ଧ୍ୟକୂଜନର ଅର୍ଥ କଣ କିଏ କହି ପାରେ ?

 

ରାତ୍ରି ଗଭୀର ହୋଇ ଆସିଲା । ଝମ୍ ଝମ୍ ହୋଇ ବୃଷ୍ଟି ହେଉଅଛି । ଗଗନପ୍ରାଙ୍ଗଣରେ ସମୁଜ୍ଜ୍ୱଳ ସୌଦାମିନୀର ଲାସ୍ୟ ସହିତ ମେଘ ଗର୍ଜନ କର୍ଣ୍ଣପଟହ କମ୍ପିତ କରୁଅଛି । ଘର ଅଗଣାର ଗୋଟିଏ ଗର୍ତ୍ତର ନୂତନ ଜଳରେ ଅସଂଖ୍ୟ ଭେକ ସରୁ ମୋଟ ବିବିଧ କଣ୍ଠରେ ଆନନ୍ଦଧ୍ୱନି କରୁଅଛନ୍ତି ଏବଂ ଦୁଇ ତିନି ଦଣ୍ଡ ପରେ ଗୋଟିଏ ବ୍ରାହ୍ମଣୀ ବେଙ୍ଗ ଘେଁ ଘେଁ ସ୍ୱରରେ ଚିତ୍କାର କରି ସ୍ୱକୀୟ ମହିମାନ୍ୱିତ ଅସ୍ତିତ୍ୱର ପରିଚୟ ପ୍ରଦାନ କରୁଅଛି । ଏହି ଭେକର କଣ୍ଠସ୍ୱର ଏବଂ ଚାଳ ଉପରିସ୍ଥ କାକୁଡ଼ି ଓ ଜହ୍ନି ପତ୍ର ଉପରେ ବୃଷ୍ଟିଧାରା ପଡ଼ି ଯେଉଁ ଶବ୍ଦସମନ୍ୱୟ ଉତ୍ପନ୍ନ କରେ, ତାହା ବାଳକମାନଙ୍କର କ୍ଲାନ୍ତ ନୟନପଲ୍ଲବରେ ନିଦ୍ରାର କୁହୁକ ପରି ଏବଂ ଏହି ସକାଶେ ହେତୁରୁ ଶୀଘ୍ର ଶୀଘ୍ର ଶୋଇ ପଡ଼ୁଅଛନ୍ତି ।

 

କନ୍ଦମାଳର ପାଣିଶିଳା, କେନ୍ଦୁଝରର ଭୂୟାଁପୀଢ଼, ମୟୂରଭଞ୍ଜର ଶିମିଳୀପାଳ, ବାମଣ୍ଡାର ବଡ଼ରମା, ତାଳଚେରର ବାରୁଆଁ, ଢେଙ୍କାନାଳର ସପ୍ତଶଯ୍ୟା, ଆଠମଲ୍ଲିକର ପଞ୍ଚଧାର, ଦଶପଲ୍ଲାର ଗୋୟାଳଡିହ (ସପ୍ତକ୍ରୋଶୀ), ବଉଦର ବାଙ୍କମୁଣ୍ଡି, ସୁକିନ୍ଦାର ଟମକା, ନୟାଗଡ଼ର ଶୂଳିଆ, ଖଣ୍ଡପଡ଼ାର ରାଜଗିରି ଏବଂ ରଣପୁରର ଗଉଣିଆ ପ୍ରଭୃତି ବଡ଼ ବଡ଼ ପର୍ବତରୁ ପର୍ବତପଞ୍ଜର ଏବଂ ଗିରିସଙ୍କଟରେ ସ୍ରୋତର ଆକସ୍ମିକ ଅବତରଣ ଏବଂ ପଥିକମାନଙ୍କ ବିପଦ ବର୍ଷାକାଳର ପ୍ରାୟ ନିତ୍ୟ ଘଟଣା । ଗିରିନଦୀରେ ବେତସବନ ଏବଂ ଜମ୍ବୁବନସଙ୍କୁଳ ଶ୍ଳଥ ଶିଳାରାଶିରେ ଆବିଳ ସ୍ରୋତ ଧାବମାନ । ଏହି ‘‘ପକ୍ଷୀ-ମୁଣ୍ଡକଟା’’ ସ୍ରୋତରେ କୌଣସି ଜନ୍ତୁ ଓ କୀଟ ପତଙ୍ଗ ପ୍ରଭୃତି କାହାରି ରକ୍ଷା ନାହିଁ । ମହାନଦୀତଟସ୍ଥ କନ୍ଦରରୁ ପଙ୍ଗପାଳର ଉତ୍ଥାନ ଓ ତଜ୍ଜନିତ କୃଷକମାନଙ୍କ ଶଙ୍କା, ଏହି ସମୟରେ ଗୋଟିଏ ବିଶେଷତ୍ୱ । ସମ୍ବଲପୁର, ସୋନପୁରଠାରୁ ମହନଦୀର ବିଷମ ଏବଂ ସପ୍ତକ୍ରୋଶୀ ଗଣ୍ଡ ମଧ୍ୟ ଦେଇ ଅନେକ ବାଣିଜ୍ୟ-ନୌକା କଟକ ଆସୁଅଛି-। ଦଶପଲ୍ଲାରୁ ପୁରୀ ରଥର କାଠଭେଳା ମହାନଦୀ ବକ୍ଷରେ ଭାସିଲାଣି । ମଣିଭଦ୍ରା ପର୍ବତତଳସ୍ଥ ଅରଣ୍ୟ ପ୍ରଦେଶ ବୃତଙ୍ଗ ନାମକ ଗିରିନଦୀର ଶବ୍ଦରେ ମୁଖରିତ ହେଲାଣି ଏବଂ ଏଭଳି ଶତ ଶତ ଉପନଦୀ ମହାନଦୀକୁ ପାଣି ଯୋଗାଇବା ହେତୁରୁ ଆଜି ମହାନଦୀ ଏଭଳି ସ୍ୱୀତକଳେବର ହୋଇ ଧାବମାନ ।

 

ପୁନ୍ନାଗ, କିଆ ଏବଂ ଟଗର ଫୁଲ ଚତୁର୍ଦିଗରେ ସୌରଭ ବିସ୍ତାର କରୁଅଛି । ଫିରିକ ବୁଦାର ଧଳା ଫୁଲରେ ଚାରିଆଡ଼େ ମହକି ଉଠୁଅଛି । କୌଣସି ଦେଶୀୟ ଅଥବା ବିଲାତୀ ଏସେନ୍ସର ସୁଗନ୍ଧ ଏହା ସହିତ ସମକକ୍ଷ ନୁହେ ପରା? ଏହି ହେତୁରୁ ପ୍ରାଚୀନ ପ୍ରବାଦର ସାର୍ଥକତା ଏହି ଫୁଲରେ ଲକ୍ଷିତ ହୁଏ :–

 

‘‘କଣ୍ଟାଫିରିକି, କଣ୍ଟାଫିରିକି, ଏତେ ଗୁଣ ବୋଲି ଜାଣିଥିଲି କି ?’’ ମଧ୍ୟେ ମଧ୍ୟେ ଶରତ୍ ଦେଖା ଦେଲାଣି ଏବଂ ସୁଶୀତଳ ଉତ୍ତରା ପବନ ବହିଲାଣି । କେଉଁ କେଉଁ ରାତ୍ରି ଉଜ୍ଜ୍ୱଳ ଏବଂ ନିର୍ମଳ ତାରକାପୁଞ୍ଜରେ ସୁଶୋଭିତ ହେଉଅଛି । ରାତ୍ରିରେ ତରୁଲତାରେ ଖଦ୍ୟୋତମଣ୍ଡଳୀର ଶୋଭା ଅତ୍ୟନ୍ତ ମନୋହର ବୋଧ ହେଉଅଛି । ଚନ୍ଦ୍ର ଏବଂ ତାରାକୁ ଆଚ୍ଛାଦନ କରି ସ୍ୱଚ୍ଛ ମେଘ ଉତ୍ତରରୁ ଦକ୍ଷିଣକୁ ଏବଂ ଦକ୍ଷିଣରୁ ଉତ୍ତରକୁ ଗତି କରୁଅଛି । ମେଘରେ ଚନ୍ଦ୍ର, ଏବଂ ତାରା ଲୁଚକାଳି ଖେଳୁଅଛନ୍ତି ।

 

ମହାକବି ଉପେନ୍ଦ୍ର ଭଞ୍ଜ ବର୍ଷାକାଳର କ୍ଷଣପ୍ରଭାର ଆକସ୍ମିକ ସ୍ଫୁରଣ ଏବଂ ଖଦ୍ୟୋତମଣ୍ଡଳୀର ବିଚିତ୍ର ନୃତ୍ୟ ଦେଖି ଯାହା ବର୍ଣ୍ଣନା କରିଅଛନ୍ତି, ତାହା ସ୍ୱାଭାବିକତାରେ ଅନୁପ୍ରାଣିତ ହେଲା ପରି ବୋଧହୁଏ । କବିତାଟି ଏହି :–

 

‘‘ବିଧାତା-ବିଧାନୀ ଚିତା ବିଜୁଳୀ

କାଷ୍ଠାବଳୀ ଯୋଗେ ଉଠିଲା ଜଳି,

ଝଞ୍ଜାନିଳ ଲାଗି ପ୍ରଭା ପ୍ରକାଶି

ସଜୀବରେ ଦହି ଦିଏ ବିଦେଶୀ,

ତହୁଁ ଅଗ୍ନିକଣ

ଉଡ଼ି ବୋଲାଇଲେ ଜ୍ୟୋତିରିଙ୍ଗଣ ।

 

ପର୍ବତତଟ ଏବଂ ଭଗ୍ନାବଶେଷ ପ୍ରାସାଦଗୁଡ଼ିକ ପାଷାଣଭେଦୀଦ୍ୱାରା ଜଟିଳ ହୋଇଅଛି-। ଭେଡ଼ା ଅଞ୍ଚଳରେ ଏବଂ ବ୍ରାହ୍ମଣୀ ଓ ମହାନଦୀର ଅନୂପଦେଶସ୍ଥ କନିକା ଏବଂ କୁଜଙ୍ଗ ପ୍ରଦେଶସ୍ଥ ପାଟସମୂହରେ ଦିଗନ୍ତବ୍ୟାପୀ ପୀତ-ହରିତ୍ ‘‘ଚଢ଼େଇ-ଲୁଚା’’ ଧାନ୍ୟକ୍ଷେତ୍ର ଶୋଭା ବିସ୍ତାର କରୁଅଛି-। ପଛକୁ ଗାଢ଼ ହରିତାୟମାନ ହୋଇଯିବ । ଖୋରଧାର ମାଗଧ ଏବଂ ଅନୂପ ଅଞ୍ଚଳରୁ ପାର୍ବତୀୟ ଖୋରଧାକୁ କୃଷକମାନେ ଗୋରୁପଲ ଘେନି ଗଲେଣି ।

 

ରଥଯାତ୍ରା ବର୍ଷାକାଳର ପ୍ରଧାନ ପର୍ବ । ଉତ୍କଳର ପ୍ରଧାନ ପ୍ରଧାନ ନଗରରେ ଏବଂ ପ୍ରତ୍ୟେକ ଗଡ଼ଜାତର ରାଜଧାନୀରେ ଏହି ଉତ୍ସବ ପୂର୍ଣ୍ଣମାତ୍ରାରେ ଅନୁଷ୍ଠିତ ହୁଏ, ମାତ୍ର ପୁରୀର ରଥଯାତ୍ରା ଭାରତପ୍ରସିଦ୍ଧ । ଭାରତର ବିଭିନ୍ନାଂଶରୁ ବିଶେଷତଃ ବଙ୍ଗଦେଶରୁ ଏହି ଉପଲକ୍ଷେ ପୁରୀରେ ଅଜସ୍ର ନରନାରୀ ସମବେତ ହୁଅନ୍ତି । ପ୍ରାୟ ଅର୍ଦ୍ଧଲକ୍ଷରୁ ଏକ ଲକ୍ଷ ପର୍ଯ୍ୟନ୍ତ ଏବଂ ମାହଧନିରୁ ନିଃସମ୍ବଳ ଭିକ୍ଷୁକ ପର୍ଯ୍ୟନ୍ତ ସମସ୍ତେ ରଥ ଟାଣିବାକୁ ସମପରିମାଣରେ ଆଗ୍ରହାନ୍ୱିତ । ଏ ଦୃଶ୍ୟ ସେତେବେଳେ ପ୍ରକୃତ ହୃଦୟସ୍ପର୍ଶୀ ହୋଇଥାଏ । ରଥ ସମ୍ମୁଖସ୍ଥ ସଂକୀର୍ତ୍ତନଦଳ ଦେଖି କେହି କେହି ଉଭୟ ହସ୍ତରେ ଲଲାଟ ସ୍ପର୍ଶ କରୁଅଛନ୍ତି ଏବଂ କେହି ନତଜାନୁ ହୋଇ ମୃତ୍ତିକାରେ ଲଲାଟ ସ୍ପର୍ଶ କରି, କେହି ଗଳଲଗ୍ନୀକୃତ ଅଞ୍ଚଳରେ ସାଷ୍ଟାଙ୍ଗ ପ୍ରଣାମ କରୁଅଛନ୍ତି । ଦକ୍ଷିଣ ହସ୍ତରେ ସଂକୀର୍ତ୍ତନକାରିମାନଙ୍କ ପଦରଜ ଘେନି ମସ୍ତକରେ ବୋଳି ଦେଉଅଛନ୍ତି । ଧନ୍ୟ ମହାମହିମାନ୍ୱିତ ହିନ୍ଦୁଭକ୍ତି ! ଏମାନେ ଜାଣନ୍ତି ନାହିଁ ଯେ ଏହି ପଦରଜ ମଧ୍ୟରେ ଏଭଳି ପାଷଣ୍ଡର ପଦଧୂଳି ମିଶ୍ରିତ ଅଛି, ଯାହାକୁ ବକ୍ଷରେ ଧାରଣ କରି ପୃଥିବୀ ନିୟତ ଅସହ୍ୟ ଭାର ଅନୁଭବ କରୁଅଛନ୍ତି । କିନ୍ତୁ ସରଳ, ସୁଶୀଳ, ଭକ୍ତିବିହ୍ୱଳ ଗ୍ରାମ୍ୟ ଲୋକେ କୌଣସି ପାପିଷ୍ଠର ପରିଚୟ ଗ୍ରହଣରେ ଆକାଙ୍କ୍ଷିତ ନୁହନ୍ତି, ସେମାନଙ୍କର ବିଶ୍ୱାସ ଅନୁସାରେ ଯାହା ମନରେ ଯେତେ ପାପ ଥାଉ ପଛକେ, ଯେଉଁ ପବିତ୍ର ନାମ ସେମାନେ ଉଚ୍ଚାରଣ କରୁଅଛନ୍ତି, ତାହାର ଅମୃତମୟ ସ୍ୱର୍ଗୀୟ ସୁରଭି ସ୍ରୋତରେ ସମସ୍ତଙ୍କର ସକଳ କଳୁଷରାଶି ବିଧୌତ ହୋଇଯିବ । ସମସ୍ତେ ‘ହରିବୋଲ’ ଧ୍ୱନିରେ ମତ୍ତ ଏବଂ ଏହି ‘ହରିବୋଲ’ ଧ୍ୱନିରେ ଗଗନମଣ୍ଡଳ ପ୍ରତିଧ୍ୱନିତ ।

 

ଏଣେ ଶ୍ରୀଜଗନ୍ନାଥଦେବ ରଥ ଉପରେ ବିରାଜିତ, ତେଣେ ଅସଂଖ୍ୟ ନରନାରୀର କଣ୍ଠନିଃସୃତ ହରିଧ୍ୱନିଦ୍ୱାରା ସ୍ୱର୍ଗରାଜ୍ୟ ପୃଥିବୀରେ ଅବତୀର୍ଣ୍ଣ ହେଲା ପରି ବୋଧ ହୁଏ । ଏହି ସ୍ୱର୍ଗୀୟ ଦୃଶ୍ୟ ସମ୍ମୁଖରେ ଦଣ୍ଡାୟମାନ ହୋଇ ଭକ୍ତରାଜ ଶାଲବେଗ ଭକ୍ତି-ବିହ୍ୱଳ ହୃଦୟରେ ଦିନେ କହିଥିଲେ :–

 

‘‘ନମସ୍ତେ ପୁଣ୍ଡରୀକାକ୍ଷ, ନମସ୍ତେ ପୁରୁଷୋତ୍ତମ ।

ନମସ୍ତେ ସର୍ବଲୋକାତ୍ମନ୍, ବ୍ରହ୍ମାଣ୍ଡରୂପିଣେ ନମଃ । ।

ବ୍ରହ୍ମତ୍ୱେ ସୃଜତେ ବିଶ୍ୱଂ ସ୍ଥିତୌ ପାଳୟତେ ପୁନଃ ।

ରୂଦ୍ରରୂପାୟ କଳ୍ପାନ୍ତେ ନମସ୍ତୁଭ୍ୟଂ ତ୍ରିମୂର୍ତ୍ତିୟେ । ।

ନମୋଽସ୍ତୁ ବିଷ୍ଣବେ ତସ୍ମୈ ନମସ୍ତସ୍ମୈ ପୁନଃ ପନଃ ।

ଯନ୍ତ୍ର ସର୍ବଂ ଯତଃ ସର୍ବଂ ଯଃ ସର୍ବଂ ସର୍ବସଂଶ୍ରୟଃ । । ’’

 

ଏହିରୂପେ ହୃଦୟଗ୍ରାହୀ ମହାମନ୍ତ୍ର ଉଚ୍ଚାରଣ କରୁଁ କରୁଁ ଜଗନ୍ନାଥଦେବଙ୍କ ସମକ୍ଷରେ ସେହି ଭକ୍ତଚୂଡ଼ାମଣି ଶାଲବେଗଙ୍କ ଅମରାତ୍ମା ଅମର ଧାମକୁ ଚାଲି ଯାଇଅଛି । ତାଙ୍କର ଜଡ଼ପିଣ୍ଡର ସମାଧି ପୁରୀର ବଡ଼ଦାଣ୍ଡ ପାର୍ଶ୍ୱରେ ଅଦ୍ୟାବଧି ଅକ୍ଷୁର୍ଣ୍ଣଭାବରେ ଅବସ୍ଥିତ । ଏହିପରି କେତେ ସ୍ୱନାମଧନ୍ୟ ଭକ୍ତପ୍ରବରଙ୍କ ପଦରେଣୁ ସ୍ପର୍ଶ କରି ପୁରୁଷୋତ୍ତମ କ୍ଷେତ୍ର ଧନ୍ୟ ହୋଇଅଛି । ଭକ୍ତିର ଅବତାରସ୍ୱରୂପ ଶ୍ରୀଚୈତନ୍ୟ ଦେବ ଦିନେ ଏହି ପୁରୁଷୋତ୍ତମ କ୍ଷେତ୍ର ଅଳଂକୃତ କରିଥିଲେ ଏବଂ ସେହି ଭକ୍ତକୁଳ ତିଳକଙ୍କର ଏହି ସ୍ଥାନରେ ତନୁତ୍ୟାଗ ହେତୁରୁ ଏହି କ୍ଷେତ୍ର ହିନ୍ଦୁସମାଜର ମର୍ତ୍ତ୍ୟ-ବୈକୁଣ୍ଠରୂପେ ପରିଗୃହୀତ ଏବଂ ପରିଗଣିତ ହେଉଅଛି । ସମଗ୍ର ଭାରତବର୍ଷରେ ସନାତନ ହିନ୍ଦୁଧର୍ମର ଜୟବୈଜୟନ୍ତୀ ପୁରୁଷୋତ୍ତମ କ୍ଷେତ୍ରରେ ଉଡ଼ୁଅଛି ବୋଲି ଉତ୍କଳର କବିବର କହିଅଛନ୍ତି-:–

 

‘‘ବାଛି ନେଇଛନ୍ତି ଯାହା ନିଜେ ଲୀଳାମୟ

ପୁଣି ମର୍ତ୍ତ୍ୟଲୀଳା ଲାଗି, ଅଖିଳ ଭାରତେ;

* * * *

ଶ୍ରେଷ୍ଠ ଏ ନୀଳାଦ୍ରିଧାମ ସମଗ୍ର ଉତ୍କଳେ । ’’

 

ଅସଂଖ୍ୟ ଦୋକାନସମୂହରେ ପୁରୀର ‘ବଡ଼ଦାଣ୍ଡ’ ପୂର୍ଣ୍ଣ ରହିଅଛି । ଏଥି ମଧ୍ୟରେ ମିଷ୍ଟ ମହାପ୍ରସାଦ ଏବଂ ଅନ୍ୟାନ୍ୟ ମିଷ୍ଟାନ୍ନ ଦୋକାନହିଁ ଅଧିକ । କାଠର ଥାଳିଗୁଡ଼ିକରେ ନବାତ ଏବଂ ଗୁଡ଼ର ମିଷ୍ଟାନ୍ନହିଁ ଅଧିକ, ସାନ ବଡ଼ ନାନାପ୍ରକାର ‘‘କୋରା’’ ଗୁଡ଼ିକରେ ଅଧିକାଂଶ ଦୋକାନ ସଜ୍ଜିତ । ମହାପ୍ରସାଦ ଚୂଡ଼ାରେ ବଡ଼ ବଡ଼ ଟୋକେଇ ଶୋଭିତ; ନିକଟରେ ଗୋଟିଏ ଗୋଟିଏ ହାଣ୍ଡିରେ ଉଖୁଡ଼ା; ହାଣ୍ଡିର ମୁହଁ ଲୁଗାରେ ଆଚ୍ଛାଦିତ ଥିଲେହେଁ ଏବଂ ହାଣ୍ଡି ମଧ୍ୟରୁ ରସଲାଭର ବିନ୍ଦୁ ପରିମାଣ ସମ୍ଭାବନା ନ ଥିଲେ ମଧ୍ୟ ମାଛିର ଅଭାବ ନାହିଁ-ମକ୍ଷିକାବୃନ୍ଦର ଭଣ ଭଣ ଶବ୍ଦର ଅନ୍ତ ନାହିଁ ! ଦୋକାନପାର୍ଶ୍ୱସ୍ଥିତ ଗୃହ-ଚାଳରେ ବସି ଗୋଟିଏ କାକ ଏକ ଚକ୍ଷୁ ମୁଦ୍ରିତ କରି ଦୋକାନ ଆଡ଼କୁ ସତୃଷ୍ଣନୟନରେ ଅନାଉଅଛି, ମଧ୍ୟେ ମଧ୍ୟେ କର୍କଶସ୍ୱରରେ ‘କା’ ‘କା’ ଶବ୍ଦ କରୁଅଛି, ଚାଳର ଏକ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତକୁ ଘୁଞ୍ଚି ଯାଉଅଛି, ପୁଣି ବେକ ବୁଲାଇ ଅନାଉଅଛି । ବୋଧହୁଏ ତାହାର ଅଭିଳାଷ ଏହି ଯେ ଗୋଟିଏ ‘କୋରା’ ହେଲେ ତାହାର ପେଟ ପୂରିଯିବ, ଅଥଚ ତାହା ସମ୍ମୁଖରେ ଏତେଗୁଡ଼ିଏ ‘କୋରା’ ରଖି ଲୋଭ ଦେଖାଇବା ଏବଂ ଗୋଟିଏ ସୁଦ୍ଧା ଗ୍ରହଣ କରିବାକୁ ଅବସର ନ ଦେବା କି ଭୟଙ୍କର ନିଷ୍ଠୁରତା ! ‘ମଗଜଲଡ଼ୁ’ ଓ ‘ଜଗନ୍ନାଥବଲ୍ଲଭ’ ପ୍ରଭୃତି ମିଷ୍ଟାନ୍ନ-ମହାପ୍ରସାଦଗୁଡ଼ିକ ପଣସ-ପତ୍ର ଆଚ୍ଛାଦିତ ଅବସ୍ଥାରେ ସଜ୍ଜିତ ରହିଅଛି, ସୁତରାଂ ତହିଁ ପ୍ରତି କାଉର ଏଭଳି ଲୋଲୁପ ଦୃଷ୍ଟି ନାହିଁ ।

 

ବୀଣାପାଣିଙ୍କ ବରପୁତ୍ର ହୃଦୟରେ ଯେ ଅତୃପ୍ତ ବେଦନା ଅନୁଭବ କରି ଅମର ଗାଥାରେ କହିଥିଲେ :–

 

‘‘ମେଘାଲୋକେ ଭବତି ସୁଖିନୋଽପ୍ୟନ୍ୟଥାବୃତ୍ତି ଚେତଃ,

କଣ୍ଠାଶ୍ଳେଷ-ପ୍ରଣୟିନି ଜନେ କିଂ ପୁନର୍ଦୂରସଂସ୍ଥେ । ’’

 

ଯୁଗାନ୍ତର ପୂର୍ବେ ରାମଗିରିର ନିଭୃତ ଉପତ୍ୟକାରେ ଅଭିଶାପକ୍ଳିଷ୍ଟ ପ୍ରବାସୀ ଯକ୍ଷ ହୃଦୟରେ ଯେପରି ବେଦନା ଜାଗି ଉଠିଥିଲା, ଏ କାଳରେ ଗଗନବିଲମ୍ବୀ ଧୂସର ମେଘଚ୍ଛାୟା ପ୍ରତ୍ୟେକ ପ୍ରବାସିର ବ୍ୟଥିତ ମର୍ମ୍ମ ସ୍ପର୍ଶ କରି ପ୍ରିୟଜନମିଳନ-ହୀନ ତୃଷିତ ହୃଦୟରେ ଏକ ଅତୃପ୍ତ କମ୍ପନର ସଞ୍ଚାର କରୁଅଛି । ସୁଦୂର ପ୍ରବାସରେ ମେଘଗର୍ଜନ, ବିଦ୍ୟୁତ୍‌ସ୍ଫରଣ, ବୃଷ୍ଟିର ଧାରାବାହିକ ଶବ୍ଦରେ ପ୍ରତ୍ୟେକ ହୃଦୟ ଚଞ୍ଚଳ ହୋଇ ଉଠେ ଏବଂ ବେଦନାପ୍ଳୁତ ଅନ୍ତର୍ଲୀନ ବିରହ ସମସ୍ତେ ଅତି ନିବିଡ଼ଭାବରେ ଅନୁଭବ କରିଥାନ୍ତି । ଆତ୍ମୀୟ ସ୍ୱଜନବର୍ଗଙ୍କୁ ସେତେବେଳେ ପୂର୍ଣ୍ଣଭାବରେ ମନେ ପଡ଼େ ।

 

ବର୍ଷାର ଶେଷରେ ଝୁଲଣ ଯାତ୍ରା ପର୍ବ । ଏହି ଝୁଲଣଯାତ୍ରା ପୁରୀ, କେନ୍ଦ୍ରାପଡ଼ା ଓ ଆଠଗଡ଼ରେ ପ୍ରସିଦ୍ଧ । ପୁରୀର ଝୁଲଣ ପ୍ରାୟ ପ୍ରତ୍ୟେକ ସାହୀରେ ଏବଂ ପ୍ରଧାନ ପ୍ରଧାନ ମଠରେ ସମ୍ପନ୍ନ ହୋଇଥାଏ । ଠାକୁର ଠାକୁରାଣୀଙ୍କ ମୂର୍ତ୍ତି ବିମାନରେ ଅବସ୍ଥାପିତ ଏବଂ ସଖୀମାନଙ୍କ ମୂର୍ତ୍ତି ସଜ୍ଜିତ କୁଞ୍ଜରେ ଶୋଭମାନ । ମଧ୍ୟେ ମଧ୍ୟେ ଶଙ୍ଖ ଘଣ୍ଟା ଧ୍ୱନି କର୍ଣ୍ଣ ବଧିର କରୁଅଛି ଏବଂ ପୁରୋହିତ ଅଥବା କୌଣସି ବ୍ରାହ୍ମଣ ବିମାନ ପଶ୍ଚାତରୁ ଥରେ ଥରେ ବିମାନକୁ ଠେଲି ଦେଉଅଛନ୍ତି । ପ୍ରତ୍ୟେକ ଝୁଲଣ ମଣ୍ଡପ ସମୀପରେ ଉତ୍କଳର ଖାଣ୍ଟି ଓଡ଼ିଆ ସଙ୍ଗୀତ ଓ ଛାନ୍ଦ ଗୀତ ହେଉଅଛି- ଏ ଦୃଶ୍ୟ କେବଳ ପୁରୀରେ ସ୍ୱାଭାବିକ । ଏହି ସ୍ୱାଭାବିକତା କେବଳ ଆଜିକାଲିକାର ମିଶ୍ରିତ ଯୁଗରେ ପୁରୀ ରକ୍ଷା କରି ଆସୁଅଛି, ଅନ୍ୟାନ୍ୟ ସ୍ଥାନରେ ବଙ୍ଗଳା, ହିନ୍ଦୀ ଓ ଇଂରାଜୀ ରାଗିଣୀର ଅନୁକରଣରେ ଓଡ଼ିଆ ଗୀତ ରଚିତ ହୋଇ ବୋଲା ହୁଏ, ମାତ୍ର ପୁରୀରେ ଏ ପ୍ରଥା ନାହିଁ । ବଡ଼ ଦୁଃଖର କଥା ଓଡ଼ିଶାର ଛାନ୍ଦ ରାଗିଣୀରେ ଭାରତୀୟ ଅନ୍ୟ କୌଣସି ଜାତି ସେମାନଙ୍କ ନିଜ ନିଜ ଭାଷାର ସଙ୍ଗୀତ ରଚନା କଲେ ନାହିଁ, ମାତ୍ର ଆମ୍ଭେମାନେ ଏ ଭଳି ଅର୍ବାଚୀନ ଯେ ସ୍ୱଦେଶୀୟ ଅଥବା ଜାତୀୟ ରାଗିଣୀ ଛାଡ଼ି ବିଜାତୀୟ ରାଗିଣୀରେ ସଙ୍ଗୀତ ରଚନା କରିବାକୁ ମନ ଫେରାଇଅଛୁଁ । ଏପରି କି ଜାତୀୟ ସଙ୍ଗୀତର ଅଧିକାଂଶ ମଧ୍ୟ ବିଜାତୀୟ ରାଗିଣୀରେ ଗଠିତ । ଏ ବିଷୟ ପ୍ରତି ଶିକ୍ଷିତ ସମାଜର ଦୃଷ୍ଟି ପଡ଼ିବାକୁ ନାହିଁ ଏବଂ ଆଧୁନିକ ଶିକ୍ଷିତସମାଜ ବୋଧ ହୁଏ ଛାନ୍ଦ ଏବଂ ଓଡ଼ିଶୀ ସ୍ୱରସମୂହ ଆଉ ଅଳ୍ପ ଦିନ ମଧ୍ୟରେ ବିସ୍ମୃତ ହୋଇ ଯିବ ।

 

ଝୁଲଣ ପୂର୍ଣ୍ଣିମା ଦିନର ଅପର ନାମ ରାଖି (ରାକ୍ଷି) ପୂର୍ଣ୍ଣିମା । ବର୍ଷାର ଶେଷ ଓ ଶରତ ନବ ସଞ୍ଚାର ଏହି ଦିନରୁ ହୋଇଥାଏ । ବ୍ରାହ୍ମଣମାନେ ରାଖି, ନଡ଼ିଆ ଓ ପଇତା ଘେନି ଦ୍ୱାରେ ଦ୍ୱାରେ ଭ୍ରମଣ କରୁଅଛନ୍ତି ଏବଂ ‘‘ଦକ୍ଷିଣାନ୍ତଂ ଫଳପ୍ରଦଂ’’ ଏହି ବାକ୍ୟର ସାର୍ଥକତା ସମ୍ପାଦନ କରୁଅଛନ୍ତି । ଏହି ରାଖି-ପୂର୍ଣ୍ଣିମା ପର୍ବତବେଷ୍ଟିତ ଅରଣ୍ୟମରୁସଙ୍କୁଳ ସୁଦୂର ରାଜସ୍ଥାନର ଅତି ପ୍ରମୋଦମୟ ଉତ୍ସବ; ବହୁଦୂରବର୍ତ୍ତୀ ଶସ୍ୟଶ୍ୟାମଳ ଉତ୍କଳର ପଲ୍ଲୀଗ୍ରାମସମୂହରେ ମଧ୍ୟ ଆଜି ସେହି ମଧୁର ଉତ୍ସବର ଆନନ୍ଦପୂର୍ଣ୍ଣ ପ୍ରଥା ଅନୁଭୂତ ହେଉଅଛି । ଏହା ସାଙ୍ଗରେ ପ୍ରଭାତର ସମୂଜ୍ଜ୍ୱଳ ଆଲୋକ, ନୀଳ ଆକାଶରେ ଅଭିପ୍ରାୟ ଶୁଭ୍ର ମେଘଖଣ୍ଡର ସୁମନ୍ଦ ସଞ୍ଚରଣ, ସତେଜ ବୃକ୍ଷପତ୍ରର ମୃଦୁ କମ୍ପନ ଏବଂ କ୍ଷେତ୍ରସମୂହରେ ବିହଙ୍ଗମକୁଳର ସହର୍ଷ କାକଳୀ ଶରଦାଗମନର ଉଦ୍ବୋଧନ କରୁଅଛି ।

Image

 

ଶରତ୍‌

 

ନୟନାନନ୍ଦଦାୟିନୀ, ରୂପରମ୍ୟା, ଲାବଣ୍ୟଭୂଷଣା ଶରତ୍‌ ନବବଧୂ ସଦୃଶ ମହୀମଣ୍ଡଳରେ ଉପସ୍ଥିତ ହେଲା । ଏହାର ସ୍ନିଗ୍ଧ ମାଧୁରୀ ସଂସ୍ପର୍ଶରେ କ୍ଷୀରନିକାଶ କାଶକୁସୁମ, ଦଧି-ସରବର୍ଣ୍ଣା ସପ୍ତପର୍ଣ୍ଣୀ, ନବନୀତ ସଦୃଶ ଶଶଧର ଏବଂ ତକ୍ର-ପ୍ରଭା ଜ୍ୟୋତ୍ସ୍ନା ସମାଗତ ହେଲେ ଧରଣୀରେ ଯଥାର୍ଥ ସୌନ୍ଦର୍ଯ୍ୟରସର ସାଗର ସମୁତ୍ପନ୍ନ ହୁଏ ।

 

ଯେତେବେଳେ କ୍ଷେତ୍ରସମୂହ ଶ୍ୟାମଳ ଶସ୍ୟରାଶିରେ ପରିପୂର୍ଣ୍ଣ, ଯେତେବେଳେ ଅଯାଚିତ ବର୍ଷଣରେ ପଲ୍ୱଳ, ତଡ଼ାଗସମୂହରେ କୁମୁଦ, କହ୍ଲୋର ଫୁଟି ଉଠିଅଛି, ଯେତେବେଳେ କାଶକୁସୁମର ଶ୍ୱେତ ବିସ୍ତାର ବର୍ଷାକାଳର ବାର୍ଦ୍ଧକ୍ୟର ପରିଚୟ ଦେବାକୁ ପ୍ରୟାସୀ, ଯେତେବେଳେ କୃଷକଗଣ ସମସ୍ତ ବର୍ଷବ୍ୟାପୀ ପରିଶ୍ରମର ଫଳ ଲାଭ ଉଦ୍ଦେଶ୍ୟରେ ଆଶାନ୍ୱିତ ଚିତ୍ତରେ ‘‘ଶସ୍ୟପୂର୍ଣ୍ଣା ବସୁନ୍ଧରାକୁ’’ ଚାହିଁ ରହିଥାନ୍ତି, ସେହି ଶାନ୍ତିପୂର୍ଣ୍ଣ ସମୟରୁ ଶରତ୍‌ କାଳର ସୂଚନା । ଶାରଦାକାଶର ନୀଳପ୍ରଭା, କନକକାନ୍ତି ରୌଦ୍ରଚ୍ଛଟା, ଶେଫାଳିକାର ପୁଷ୍ପବୃଷ୍ଟି, ଶୀର୍ଣ୍ଣକାୟ ତଟିନୀର ମନ୍ଥରଗମନ, ବସୁନ୍ଧରାର ଶ୍ୟାମଦୀପ୍ତି, ଅମଳ ଧବଳ ଚନ୍ଦ୍ରିକାର ବିସ୍ତାର ପ୍ରଭୃତ ଶରତ୍‌ସ୍ନିଗ୍ଧ ଶୋଭାର ପ୍ରକୃତ ଉପକରଣ ।

 

ଶରତ୍‌ ପ୍ରାରମ୍ଭରେ ପ୍ରତ୍ୟେକ ତରୁଲତା ଉଜ୍ଜ୍ୱଳ ଶ୍ୟାମ-ସ୍ନିଗ୍ଧ ବେଶ ଧାରଣ କରନ୍ତି । କୃଷକମାନଙ୍କ କ୍ଷୁଦ୍ର କ୍ଷୁଦ୍ର କୁଟୀର ଚତୁର୍ଦ୍ଦିଗରେ ପଲ୍ୱଳସମୂହ ଜଳପୂର୍ଣ୍ଣ ହୋଇ ରହିଅଛି । ଏଗୁଡ଼ିକ ଉପରେ ଚନ୍ଦ୍ରିକା ସ୍ୱୀୟ ପ୍ରଭାବ ବିସ୍ତାର କରି ସାଧାରଣର ନୟନ ସମକ୍ଷରେ ପଲ୍ଲୀଗ୍ରାମ ସହଜ ପୁଷ୍ଟ ବିଶଦ ସୌନ୍ଦର୍ଯ୍ୟ ଫୁଟାଇ ଦେଉଅଛି । ଖଳାରେ ପାଳଗଦାର ସିକ୍ତ ମଧୁର ଗନ୍ଧ ଏବଂ ଗୃହର ଉପକଣ୍ଠବର୍ତ୍ତୀ କଦମ୍ୱ ଓ ସପ୍ତଚ୍ଛଦ (ଛତିଅନା) ପ୍ରସୂନର ସ୍ନିଗ୍ଧ ସୁବାସ ବିକୀର୍ଣ୍ଣ ହୋଇ ତରଳ ଜ୍ୟୋତ୍ସ୍ନାମୟୀ ରଜନୀକୁ ରୂପ, ରସ ଓ ଗନ୍ଧର ମୋହନରୂପରେ ଆଚ୍ଛାଦିତ କରୁଅଛି । ନିରକ୍ଷର ପଲ୍ଲୀବାସିଙ୍କର ସଂସାର-ସଂଗ୍ରାମ-କ୍ଷୁବ୍ଧ କ୍ଳାନ୍ତ ଜୀବନର ନୀରସ ମରୁସ୍ତର ସିକ୍ତ କରି ସେଠାରେ ପ୍ରସ୍ଫୁଟିତ କୁସୁମ ସଦୃଶ ଅମ୍ଳାନ କବିତ୍ୱର ସ୍ନିଗ୍ଧ ମାଧୁରୀ ବିକଶିତ ହୋଇ ଉଠିଲାଣି ।

 

କବିବର କହିଅଛନ୍ତି :–

 

‘‘ମନୋହର, ଆହା, ଯେହ୍ନେ ଶାରଦୀୟା ଉଷା,

ନୀହାର-ଭୂଷଣା କାବ୍ୟ-ତାରା-କୁନ୍ତଳିନୀ,

ପୁନର୍ବସୁ ପୃଷ୍ଠେ ଉଦେ, ପ୍ରାଚୀ ନଭଃପଟେ । ’’

 

ମେଘନିର୍ମୁକ୍ତ ଉଷାରେ ଶରତ୍‌କାଳର ଏହି ଚାରୁଚିତ୍ର ଯେ ଦେଖି-ଅଛି, ତାହାର ନୟନ ସାର୍ଥକ ହୋଇଅଛି । ଉଷାର ଉଜ୍ଜ୍ୱଳତା ସଙ୍ଗେ ପ୍ରଭାତୀ ତାରାର ଦୀପ୍ତି ପ୍ରକୃତି ମଣିକାଞ୍ଚନର ସଂଯୋଗ । ଏ ଶୋଭାର ପଟାନ୍ତର ନାହିଁ ପରା ?

 

ହରିତ୍‌ ପତ୍ରୋପରି ବାଳାତପରଞ୍ଜିତ ସ୍ଥଳପଦ୍ମର ଶୋଭା ନୟନ ସାର୍ଥକ କଲାଣି । କନିଅର, ନୀଳକଇଁ, କହ୍ଲାର, ଅପରାଜିତା ପ୍ରଭୃତି ଫୁଟି ଦିଗଦିଗନ୍ତ ନବବିକଶିତ କୁସୁମ-ସୁଷମାରେ ଆଲୋକିତ କଲାଣି । ମାଳତୀ ଏବଂ ସେଫାଳିକାର ସୁଗନ୍ଧରେ ଚତୁର୍ଦିଗ ପୂର୍ଣ୍ଣ । କାଶଫୁଲରେ ପ୍ରତ୍ୟେକ ନଦୀଗର୍ଭ ଆଚ୍ଛନ୍ନ ହେଲାଣି । ପକ୍ୱ ବିମ୍ୱଫଳଗୁଡ଼ିକ ସୁକୋମଳ ଲତା-ପଲ୍ଲବ-ସଜ୍ଜିତା ପ୍ରକୃତି ସୁନ୍ଦରୀର ହାସ୍ୟମୟ ଓଷ୍ଠାଧର ସଦୃଶ ଦିଶିଲାଣି ।

 

ମଧ୍ୟେ ମଧ୍ୟେ ଶୀତଳ ପବନ ବହୁଅଛି ଏବଂ ସେହିପବନରେ ଶିଥିଳ-ବୃନ୍ତ ପ୍ରସ୍ଫୁଟିତ ଶୁଭ୍ର ସେଫାଳିକାସମୂହ ବୃକ୍ଷ ଶାଖାରୁ ଝର ଝର ହୋଇ ଝଡ଼ି ବୃକ୍ଷ ମୂଳ ଆଚ୍ଛନ୍ନ କରୁଅଛି । ବରକୋଳି ଗଛ ଓ ଅନ୍ୟାନ୍ୟ ବୃହତ୍‌ ଗଛସମୂହରେ ନିମୂଳୀ ଲତା ମାଡ଼ି ଗଛର କଳେବର ହରିଦ୍ରାରଞ୍ଜିତ ପ୍ରାୟ ଦିଶୁଅଛି ।

 

ଊର୍ଦ୍ଧ୍ୱଦେଶରେ ଅନନ୍ତ ଆକାଶର ଅନନ୍ତ ନୀଳିମା ସଙ୍ଗେ ଭୂମଣ୍ଡଳର ଗାଢ଼ ନୀଳକାନ୍ତି ପର୍ବତସମୂହରେ ଦୃଷ୍ଟି ନିବଦ୍ଧ ରହିଲେ ମନରେ କି ମହାନ୍‌, ଅଚିନ୍ତ୍ୟ, ଅବ୍ୟକ୍ତ ଭାବର ଆବିର୍ଭାବ ହୁଏ ! ଉଜ୍ଜ୍ୱଳ ସୂର୍ଯ୍ୟାସ୍ତ କେଡ଼େ ମନୋରମ ଦିଶେ ! ଗ୍ରାମ୍ୟ ସୀମନ୍ତିନୀମାନେ ସନ୍ଧ୍ୟା ପୂର୍ବରୁ ପୁଷ୍କରିଣୀ ଅଥବା ନଦୀଘାଟକୁ ପାଣି ଆଣିବା ସକାଶେ ଯାଇ ପଶ୍ଚିମାକାଶରେ ସିନ୍ଦୂରିତ ମେଘମାଳା ଦେଖି ଦେବୀଙ୍କ ପାଟଲୁଗା ବୋଲି ଭାଳୁଅଛନ୍ତି । ଦିଗଙ୍ଗନାର ଶ୍ୱେତଚାମରରୂପୀ ଉଜ୍ଜ୍ୱଳ ଶୁଭ୍ରକାଦମ୍ୱିନୀ ନୀଳାକାଶରେ କେଡ଼େ ରମଣୀୟ ଦୃଶ୍ୟ ! ରାତ୍ରିରେ ଗଗନମଣ୍ଡଳ ଜ୍ୟୋତ୍ସ୍ନା ପ୍ଲାବିତ ଏବଂ ସରସୀଜଳରେ ଧଳା କଇଁଫୁଲ ଏହି ଜ୍ୟୋତ୍ସ୍ନାରୂପ ସୁଧାରସ ପାନ କରୁଅଛି । କୃଷ୍ଣପକ୍ଷର ଅଂସଖ୍ୟ ନକ୍ଷତ୍ରଖଚିତ ଆକାଶ ବିଶ୍ୱସ୍ରଷ୍ଟାଙ୍କ ବିରାଟତ୍ୱ ଘୋଷଣା କରୁଅଛି ।

 

ନଦୀ ପଠାସ୍ଥିତ ଅରଖ ବୁଦା ସବୁ ପୁଷ୍ପ-ପରିଶୋଭିତ ହୋଇ ଅସଂଖ୍ୟ ଭ୍ରମରକୁଳକୁ ଆହ୍ୱାନ କରୁଅଛନ୍ତି । ସରୋବର ଓ ଖାଲର ତଟ ସନ୍ନିକଟରେ ମାଛରଙ୍କା ପକ୍ଷୀନିଶ୍ଚଳଭାବରେ ଉପବିଷ୍ଟ ଏବଂ ଶରତ୍‍-ସ୍ୱଛ-ସଲିଳରେ ଶଫରୀକୁଳର କ୍ରିଡ଼ା ମାଛରଙ୍କାର ନିଶ୍ଚଳତାକୁ ସମୟ ସମୟରେ ଭଙ୍ଗ କରୁଅଛି । ହରିତାୟମାନ ଧାନ୍ୟକ୍ଷେତ୍ର ଉପରେ ଭଦଭଦଳିଆର କର୍କଶ ରବ ଥରେ ଥରେ ଶୁଭୁଅଛି । ମହାନଦୀ, ବ୍ରହ୍ମଣୀ ଏବଂ ସୁବର୍ଣ୍ଣରେଖା ପ୍ରଭୃତି ବଡ଼ ବଡ଼ ନଦୀଶଯ୍ୟାସମୂହ କାଶକୁସୁମାଚ୍ଛାଦିତ ହେଲାଣି ଏବଂ ସେହି କାଶଫୁଲଗୁଡ଼ିକ ପବନାନ୍ଦୋଳିତ ହେଲା ବେଳେ ନିର୍ମଳ ଜଳରାଶିବିଭୂଷିତ ନଦୀସମୂହ ଶ୍ୱେତଚାମରଦ୍ୱାରା ଶୋଭାମୟୀ ଶରତ୍‌-ଲକ୍ଷ୍ମୀଙ୍କୁ ସମ୍ଭାବନା କଲା ପ୍ରାୟ ଦିଶୁଅଛି । ଦରିଦ୍ରା ସ୍ତ୍ରୀମାନେ ନୀବାର ସଂଗ୍ରହରେ ଲାଗିଲେଣି । କାଷ୍ଠରଙ୍ଗଣ ଫୁଲର ଶୋଭାରେ ସୁବର୍ଣ୍ଣରୈଖିକ ଅଞ୍ଚଳ ଆଲୋକିତ ହେଲାଣି । ଦିଗ୍‌ବିଦିଗ ଦୀର୍ଘ ଶ୍ରେଣୀବିଶିଷ୍ଟ ଉନ୍ନତାନତ ପର୍ବତ, ନୀଳ ଜଳବେଣୀଶୋଭିତ ନଦୀସୈକତ, ନାସି, ଦୂରସ୍ଥିତ ତରୁରାଜି ଜ୍ୟୋତ୍ସ୍ନାଧୌତ ହୋଇ କିପରି ଦିଶୁଅଛି, ଏହାର ସମ୍ୟକ୍‌ ଚିତ୍ର ଭାଷାରେ ପ୍ରକାଶ ଅସମ୍ଭବ-। ବାଣୀପୁତ୍ର ଯଥାର୍ଥ କହିଅଛନ୍ତି :–

 

‘‘ଦିଗ୍‌ବିଭାଗାଃ ମନୋଜ୍ଞାଃ’’

 

ଏଥିରେ ସମଗ୍ର ଭାବରେ ସମାବେଶ ହୋଇଅଛି । ଋତୁର ଈଦୃଶ ମନୋହର ବେଶ ସମସ୍ତ ବର୍ଷରେ ନାହିଁ ।

 

ସୂର୍ଯ୍ୟ ନଦୀର ଅପରପାର୍ଶ୍ୱସ୍ଥିତ କ୍ଷୁଦ୍ର ଶୈଳର ଉପକଣ୍ଠବର୍ତ୍ତୀ ଆମ୍ୱତୋଟାରେ ଅସ୍ତ ହେଉଅଛନ୍ତି । ଲୋହିତ ସୂର୍ଯ୍ୟାଲୋକ ବୃକ୍ଷରାଜିର ପତ୍ରାବଳୀ ଭେଦ କରି ନଦୀ ଜଳରେ ପ୍ରତିବିମ୍ୱିତ-। ବାୟୁତାଡ଼ିତ ଚଞ୍ଚଳ ବୃକ୍ଷ ଛାୟା ଘୂର୍ଣ୍ଣ୍ୟମାନ ଜଳୋପରି କ୍ରୀଡ଼ା କରୁଅଛି । ଅସ୍ତଗାମୀ ସୂର୍ଯ୍ୟଙ୍କର କନକ-କିରଣାନୁରଞ୍ଜିତ ଖଣ୍ଡ ବିଖଣ୍ଡ ମେଘସ୍ତରର କି ଶୋଭା ହେଲାଣି ! ନଦୀତଟରେ ଜଣେ କେଉଟ ଗୋଟିଏ “ପେଲଣା’’ ଜାଲ ପକାଇ ଚୁଙ୍ଗୁଡ଼ି ମାଛ ଧରିବାରେ ବ୍ୟସ୍ତ । ପଥର ଉପରେ ଯୋଡ଼ିଏ ପିଲା ବଡ଼ଶୀରେ ‘‘ଜିଆ’’ ଗୁନ୍ଥି ବଡ଼ଶୀ-ସୁତ୍ରକୁ ଗଭୀର ଜଳରେ ନିକ୍ଷେପ କରି ସ୍ଥିର ଭାବରେ ମତ୍ସ୍ୟ-ଶିକାର ପ୍ରତୀକ୍ଷାରେ ଅଛନ୍ତି-ମନଃସଂଯୋଗ ଏବଂ ସହିଷ୍ଣୁତାର ଜୀବନ୍ତ ମୂର୍ତ୍ତି ପରି ପ୍ରତୀୟମାନ ! ଜଳମଗ୍ନ କାଶବନ ଉପରୁ ଗୋଟିଏ ଡାହୁକ ‘‘କୁଆ, କୁଆ’’ ରାବ ଦେଉଅଛି । ତାହାର ସେହି ବିଦୀର୍ଣ୍ଣ କଣ୍ଠସ୍ୱର ମଧ୍ୟରେ ଅବ୍ୟକ୍ତ କାତରତା, କ୍ଷୁଧିତ କ୍ଳାନ୍ତ ଓ ହତାଶ ଜୀବନର ଏଭଳି ମର୍ମଭେଦୀ ମନସ୍ତାପ ବାହାରି ପଡ଼ୁଅଛି ଯେ ତାହା ଖରପ୍ରବାହକମ୍ପିତ ସିକ୍ତ ତଟଭୂମିର କରୁଣ ବିଳାପୋଚ୍ଛ୍ୱାସ ବୋଲି ମନରେ ହେବା ସ୍ୱାଭାବିକ ।

 

‘‘ଅଦୃଶ୍ୟେ ସୋମଫୁଲ ବିତରେ ବାସ,

ସାତ୍ତ୍ୱିକର ନ ଥାଏ ନାମେ ପ୍ରୟାସ । ’’

 

ଏ ଦିଓଟି ଧାଡ଼ି ଯେ ଅନୁଭବ କରି ନାହାନ୍ତି, ସେ ଶରତ୍‌କାଳର ସୌନ୍ଦର୍ଯ୍ୟ ପୂର୍ଣ୍ଣମାତ୍ରାରେ ଉପଭୋଗ କରି ନାହାନ୍ତି । ବଡ଼ ଗଛ ଏବଂ ଗଛ ଉପରିସ୍ଥ ଲତା-ଜାଲ ମଧ୍ୟରୁ କେଉଁଆଡ଼େ ଏହି ‘‘ସୁଆଁ’’ ଫୁଲ ଥାଏ, କେହି କଳନା କରି ପାରିବେ ନାହିଁ, ଅଥଚ ପ୍ରାଣାରାମ ସୁଗନ୍ଧ ହଠାତ୍‌ ଆଘ୍ରାଣ-ଶକ୍ତିକୁ ଉପହାର ଦେଇ ମନ ଓ ହୃଦୟକୁ କୃତାର୍ଥ କରେ ।

 

ରକ୍ତ ଏବଂ ପୀତ ଗୋଡ଼ିବାଣ ଫୁଲ ସୁଗନ୍ଧଯୁକ୍ତ ନ ହେଲେହେଁ ଚାରିଆଡ଼ର ସୌନ୍ଦର୍ଯ୍ୟବୃଦ୍ଧି କରିବାରେ ତତ୍ପର ହେଲେଣି । ବ୍ରାହ୍ମଣ-ଶାସନ-ସମୂହର ନାରିକେଳ, ଗୁବାକ, କନିଅର, ପୁନ୍ନାଗ, ଛୁରିଅନା, ଓ ଇଜ୍ଜଳ ବୃକ୍ଷସମୂହ ବର୍ଷାବିଧୌତ ହୋଇ ଅତି ରମଣୀୟ ଦିଶିଲେଣି ।

 

ଶରାତନ୍ଦ୍ରର କିରଣରେ ଜଗତ୍‌ ଉଜ୍ଜ୍ୱଳ ଦିଶୁଅଛି । ତରଙ୍ଗିଣୀର ବିସ୍ତୀର୍ଣ୍ଣ ବକ୍ଷରେ ଏହି ସୁଧାଂଶୁ କିରଣସମ୍ପାଦିତଦ୍ୱାରା ସୁନିର୍ମଳ ଜଳସମୂହ ରଜତମୟ ବୋଧ ହେଉଅଛି । ଯେଉଁଠାରେ ଚନ୍ଦ୍ରରଶ୍ମି ପୂର୍ଣ୍ଣମାତ୍ରାରେ ପ୍ରତିବିମ୍ୱିତ, ସେଠାରୁ ଯେତେଦୂର ଦୃଷ୍ଟି ଚାଲେ, ତେତେଦୂର ପର୍ଯ୍ୟନ୍ତ ତାହାର କ୍ଷୁଦ୍ର କ୍ଷୁଦ୍ର ତରଳିତ ଅଂଶସମୂହ ଚଞ୍ଚଳ ତରଙ୍ଗୋପରି ଭାସି ଯାଉଥାଏ-ଏ ଦୃଶ୍ୟ ଅତିଶୟ ହୃଦୟହାରୀ ! ନଦୀର ପାର୍ଶ୍ୱସ୍ଥିତ ଗଣ୍ଡଶୈଳ ଏବଂ ଆମ୍ୱତୋଟା ସମୂହ ଜ୍ୟୋତ୍ସ୍ନାଲୋକରେ ନିଶ୍ଚଳ, ଧୂସର ପ୍ରେତଦେହବତ୍‌ ପ୍ରତୀୟମାନ !

 

ଜନ୍ମାଷ୍ଟମୀ ଉତ୍ସବ ପ୍ରତି ଗୃହସ୍ଥଙ୍କ ଘରେ ପାଳିତ ହେଉଅଛି । ଏହି ଦିବସ ପ୍ରାୟ ପ୍ରତି ବର୍ଷ ସମସ୍ତ ଆକାଶ ମେଘାଚ୍ଛନ୍ନ ଥାଏ ଏବଂ ଅଳ୍ପ ଅଳ୍ପ ବିନ୍ଦୁପାତ ସହିତ ବୃକ୍ଷପତ୍ରର ମର୍ମର ଶବ୍ଦ ମିଶି ଶରତ୍‌-ସୌନ୍ଦର୍ଯ୍ୟ କିୟତ୍‌କ୍ଷଣ ସକାଶେ ନଷ୍ଟ କରିଥାଏ । ସମୟ ସମୟରେ ଭୀଷଣ ବର୍ଷ-ପାତ ସହିତ ପବନସଞ୍ଚାର ହୋଇଥାଏ ।

 

ପୁରୋହିତେ ‘‘ହରିଜନ୍ମ’’ ବ୍ରତ କଥା ଦୀର୍ଘ ତାଳପତ୍ର ପୋଥିରୁ ପାଠ କରୁଅଛନ୍ତି, ସ୍ତ୍ରୀ ଏବଂ ବାଳକ ବାଳିକାମାନେ ଶୁଣିବାକୁ ରୁଣ୍ଡ ହୋଇଅଛନ୍ତି । ବୃଦ୍ଧାମାନେ ଭକ୍ତି-ଗଦ୍ଗଦ-ଚିତ୍ତରେ ପୋଥି ଶୁଣୁଅଛନ୍ତି, କିନ୍ତୁ ବାଳକ ବାଳିକାମାନେ ‘‘ପୋଥିବୋଲା ଶେଷ ହେଲେ ଭୋଗ ମିଳିବ’’ ଏହି ଆଶାରେ ସେମାନଙ୍କର ଦୁର୍ଦମନୀୟ ପ୍ରବୃତ୍ତିକୁ କଥଞ୍ଚିତ୍‌ ଶାନ୍ତ ରଖି ସ୍ଥିରଭାବ ଅବଲମ୍ୱନ କରିଅଛନ୍ତି ।

 

ହରି (ଶ୍ରୀକୃଷ୍ଣ) ଯେତେବେଳେ ଏହି ଧରାଧାମରେ ଅବତୀର୍ଣ୍ଣ ହୋଇଥିଲେ, ତାହା ମଧ୍ୟ ଏହିପରି ଗୋଟିଏ ବର୍ଷାଭୀଷଣ ରଜନୀ । ଆକାଶ ମେଘାଚ୍ଛନ୍ନ, ଘୋରାନ୍ଧକାର ଏବଂ ସମଗ୍ର ମଥୁରା ନଗର ସୁଷୁପ୍ତ; କେବଳ କଂସର କାରାରକ୍ଷକ ପ୍ରହରିଗଣ ଜାଗ୍ରତ ଅଛନ୍ତି । ଅର୍ଗଳବଦ୍ଧ ଲୌହଦ୍ୱାରବିଶିଷ୍ଠ କାରାଗାରରେ ପାଷାଣଭାରଲୁଣ୍ଠିତ ବସୁଦେବ ଅଚେତନ; ପାର୍ଶ୍ୱରେ ଆସନ୍ନ ପ୍ରସବା ଭୀତିବିହ୍ୱଳା ଦେବକୀ; ମଧ୍ୟରାତ୍ରରେ ଶ୍ରୀକୃଷ୍ଣ ଜନ୍ମଗ୍ରହଣ କଲେ । ପ୍ରସବବେଦନାରେ ସେତେବେଳେ ଦେବକୀର ସଂଜ୍ଞା ବିଲୁପ୍ତ । ଏଭଳି ସମୟରେ ସହସା ଆକାଶରେ ଦୁନ୍ଦୁଭି ଧ୍ୱନି ଶ୍ରୁତ ହେଲା, ପ୍ରସ୍ଫୁଟ ପାରିଜାତ ସ୍ନିଗ୍ଧ ସୌରଭରେ ନିରାନନ୍ଦ କାରାଗାର ପୂର୍ଣ୍ଣ ହେଲା, ବସୁଦେବଙ୍କ ବକ୍ଷର ଦୁର୍ବିସହ ପାଷାଣଭାର ଅକସ୍ମାତ୍‌ ଅପସୃତ ହୋଇଗଲା ! ସେ ଉଠି ସେହି କମଳଲୋଚନ ନୀଳକାନ୍ତି ପୁତ୍ରକୁ ନିରୀକ୍ଷଣ କରି ସକଳ କଷ୍ଟ ବିସ୍ମୃତ ହେଲେ । କିନ୍ତୁ ପରଦିବସ ପ୍ରଭାତରେ ନିର୍ଦୟ କଂସ ହସ୍ତରେ ପୁତ୍ରର ପରିଣାମ କଳ୍ପନା କରି ଆକୁଳ ହୋଇ ଉଠିଲେ, ସମସ୍ତ ଆନନ୍ଦ ନିରାନନ୍ଦରେ ପରିଣତ ହେଲା । ଅବଶେଷରେ ବସୁଦେବ ସେହି ସଦ୍ୟଃପ୍ରସୂତ କୁମାରଙ୍କୁ ଧାରଣ କରି ନନ୍ଦାଳୟରେ ରଖିବାକୁ ବାହାରିଲେ, ଲୌହ-ଅର୍ଗଳ-ବଦ୍ଧ ରୁଦ୍ଧ ଲୌହଦ୍ୱାର ମନକୁ ଫିଟିଗଲା, ପ୍ରହରିମାନେ ସେମାନଙ୍କର ମୁକ୍ତ ତରବାରି ମସ୍ତକପାର୍ଶ୍ୱରେ ରଖି ଘୋର ନିଦ୍ରାରେ ଅଭିଭୂତ ! ବାସୁଦେବ ସନ୍ତର୍ପଣରେ ଦ୍ୱାର ଅତିକ୍ରମ କରି ଚାଲିଲେ । ଅନ୍ଧକାରମୟ, ଝଟିକା ସଂକୁଳ ରାତ୍ରିର ଦୀର୍ଘଶ୍ୱାସ ସଙ୍ଗରେ ବୃକ୍ଷଶାଖାସମୂହର ପ୍ରବଳ ଆନ୍ଦୋଳନ ଏବଂ ଅବିଶ୍ରାନ୍ତ ବୃଷ୍ଟିଧାରାରେ ରାଜପଥ କର୍ଦମାକ୍ତ । ବାସୁଦେବ ସମସ୍ତ ବିଘ୍ନ ତୁଚ୍ଛ ଜ୍ଞାନ କରି ସ୍ଫୁରିତ ବିଦ୍ୟୁଦାଲୋକରେ ଅଙ୍କସ୍ଥ ଶିଶୁକୁ ଘେନି ଯମୁନା ଆଡ଼କୁ ଦଉଡ଼ିଲେ । ଇତ୍ୟାଦି, ଇତ୍ୟାଦି ।

 

ହରିଜନ୍ମ ଉତ୍ସବ ଅହିରି ଗଉଡ଼ଙ୍କ ଘରେ ଗୋଟିଏ ପ୍ରଧାନ ପର୍ବ । ଏମାନଙ୍କ ଘରେ ପିଠା, ପଣା, ଖଜା, ଛୁଞ୍ଚିପତର ପ୍ରଭୃତିର ଆୟୋଜନ ପୂର୍ଣ୍ଣମାତ୍ରାରେ ହୋଇଥାଏ । ସାଧାରଣ ହରିଜନ୍ମ ଉତ୍ସବ ମଠାଧିକାରିମାନେ ପାଳନ୍ତି ନାହିଁ । ନନ୍ଦାଳୟରେ ପରଦିନ ଶ୍ରୀକୃଷ୍ଣଙ୍କର ଆବିର୍ଭାବ ଯୋଗୁଁ ପ୍ରତ୍ୟେକ ମଠରେ ପରଦିନ ଏହି ଉତ୍ସବ ଅନୁଷ୍ଠିତ ହୁଏ-ଏଣୁ ଏହାକୁ ନନ୍ଦୋତ୍ସବ କହନ୍ତି ।

 

ଗଣେଶଚତୁର୍ଥୀ ଉତ୍ସବ ଉତ୍କଳରେ ପାଠଶାଳା ଏବଂ ବିଦ୍ୟାଳୟସ୍ଥ ଛାତ୍ରବର୍ଗଙ୍କର ଗୋଟିଏ ପ୍ରଧାନ ଅନୁଷ୍ଠାନ । ଏହା ସମ୍ଭବତଃ ଦାକ୍ଷିଣାତ୍ୟରୁ ଉତ୍କଳକୁ ଆସିଅଛି । ଅନ୍ୟାନ୍ୟ ଦେଶରେ ଏହି ଉତ୍ସବର ପ୍ରଚାର ନାହିଁ ।

 

ପୁରୀର ପଣ୍ଡାମାନଙ୍କ ‘‘ହରଚଣ୍ଡୀ ମଉଜ’’ ଶରତ୍‌କାଳର ଗୋଟିଏ ବିଶେଷତ୍ୱ । ନୌକାରେ ‘‘ସଙ୍ଗୀତ ପିଲା’’ ଘେନି ଗୀତ ବାଦ୍ୟର ଆନନ୍ଦ ସମ୍ଭୋଗ କରୁଁ କରୁଁ ସମୁଦ୍ରୋପକଣ୍ଠବର୍ତ୍ତୀ ‘‘ବାଲି ହରଚଣ୍ଡୀ’’ ଦେବୀଙ୍କ ନିକଟକୁ ମହୋତ୍ସବ କରିବାକୁ ଯାଇଥାନ୍ତି । କୀନିକା, ତାଡ଼ିଆ, ଘିଅପିଆ ଭଜା ଓ ରବି ତିଅଣର ଅଭାବ ନ ଥାଏ ଏବଂ ସମୁଦ୍ର ବାଲି ଉପରେ ସମସ୍ତଙ୍କର ଖାଦ୍ୟ-ପାନର ଆନନ୍ଦ-କଲ୍ଲୋଳ ସମୁଦ୍ରର ଉତ୍ତାଳ-କଲ୍ଲୋଳ ସହିତ ମିଶିଯାଏ । ‘‘ସାଙ୍ଗ, ଭାଙ୍ଗ, ସଙ୍ଗୀତ, ପଙ୍ଗତ’’ ପୁରୀର ପ୍ରଚଳିତ ଏହି ଚତୁର୍ବର୍ଗ ଫଳ ଏଠାରେ ସାର୍ଥକ ହୋଇଥାଏ । ଫେରିବାବେଳେ ‘‘ବଞ୍ଚିଥିଲେ ପୁଣି ବରଷେ’’ ଏହି କଥା କହି ପରସ୍ପର ଆଲିଙ୍ଗନର ଆଦାନପ୍ରଦାନ କରିଥାନ୍ତି ।

 

ସୋମନାଥବ୍ରତ, କୁକ୍କୁଟୀବ୍ରତ (ସମବେତ ଚେଷ୍ଟାରେ ସିଦ୍ଧିଲାଭ-ଜାତୀୟ ଭାବ ଉଦ୍ଦୀପକ ଗଳ୍ପ, ବ୍ରତର ପ୍ରଧାନ ଉପାଦାନ । କୁକ୍କୁଟୀବ୍ରତ ପୁସ୍ତକରେ ଦ୍ରଷ୍ଟବ୍ୟ), ରାଧାଷ୍ଟମୀ ଏବଂ ବାମନଜନ୍ମ ପ୍ରଭୃତି ଶରତ୍‌କାଳର ପର୍ବସମୂହ ଏକ ପରେ ଏକ ଜୁଆର ଭଳି ମାଡ଼ି ଆସେ । ବାମନଜନ୍ମ ଦିବସ ଉତ୍କଳର ପ୍ରସିଦ୍ଧ ‘‘ସୁନିଆ’’ । ଏହି ଦିନ ଉତ୍କଳର ପୂର୍ବ ସମ୍ରାଟ୍‌ ପୁରୀ ରାଜାଙ୍କ ନୂତନ ସାଲ ଆରମ୍ଭର ଉତ୍ସବ । ଏହି ଉତ୍ସବ ଉତ୍କଳର ପ୍ରତ୍ୟେକ ମହାରାଜା, ରାଜା, ଜମିଦାର, ଲାଖରାଜଦାର ପ୍ରଭୃତିଙ୍କ ଗୃହରେ ସମାରୋହ ସହିତ ସମ୍ପନ୍ନ ହୋଇଥାଏ । ରାଜା ଏବଂ ପ୍ରଜାଙ୍କ ପ୍ରକୃତ ସମ୍ୱନ୍ଧ ଏହି ଦିନ ସୂଚିତ ହେବାର ବିଧି ଅଛି । ପ୍ରଜାମାନଙ୍କ ଭକ୍ତି ଏବଂ ରାଜାଙ୍କ ପ୍ରଜା-ପ୍ରୀତି ଏହି ଦିବସ ସମସ୍ତେ ଉପଭୋଗ କରନ୍ତି ।

 

ଏହା ଉତ୍ତାରୁ ଭାଗବତଜନ୍ମ ଓ ଦୁତିଆ ଓଷା । ଏହି ଦୁତିଆ ଓଷାରୁ ଦୁର୍ଗାଦେବୀଙ୍କ ଉଦ୍‍ବୋଧନ ଆରମ୍ଭ ହୁଏ, ସଙ୍ଗେ ସଙ୍ଗେ ପିତୃତର୍ପଣ ମଧ୍ୟ ଆରମ୍ଭ ହୁଏ । ପିତୃତର୍ପଣର ଶେଷ ଦିବସ ମହାଳୟା ଅମାବାସ୍ୟା ।

 

ଦେବୀଙ୍କ ପ୍ରଧାନ ପୂଜା ଅର୍ଥାତ୍‌ ଦୁର୍ଗାପୂଜାର ସମାରୋହ ବଙ୍ଗଦେଶ ଭଳି ଉତ୍କଳରେ ନ ଥିଲେ ମଧ୍ୟ ସ୍ଥାପିତ ବିଗ୍ରହମାନଙ୍କ ନିକଟରେ ଛାଗ ମହିଷାଦି ବଳିଦାମନର ନୃଶଂସ ପ୍ରଥା ସର୍ବତ୍ର ପ୍ରଚଳିତ ଅଛି । ସମ୍ବଲପୁରର ସମଲାଇ ଦେବୀଙ୍କ ନିକଟରୁ ଆରମ୍ଭ କରି, ବଡ଼ମ୍ୱା-ଭଟ୍ଟାରିକା (ବୃହଦମ୍ୱିକା) ବାଙ୍କି-ଚର୍ଚ୍ଚିକା, ପୁରୀ-ବିମଳା, ଝଙ୍କଡ଼-ଶାରଳା, ବାଣପୁର-ଭଗବତୀ, ଯାଜପୁର-ବିରଜା, ଅସୁରେଶ୍ୱର-ହରଚଣ୍ଡୀ ପ୍ରଭୃତି ପ୍ରତ୍ୟେକ ଦେବୀଙ୍କ ନିକଟରେ ଅସଂଖ୍ୟ ପଶୁ ହନନ ଏହି ସମୟରେ ଉତ୍କଳୀୟ ଶରତ୍‌-ପ୍ରଫୁଲ୍ଲ ପ୍ରକୃତି-ଦେହକୁ ବିକଳାଙ୍ଗ କରି ପକାଏ । କିଏ ଜାଣେ, ଏହା ମଧ୍ୟରେ କେଉଁ ଗୃଢ଼ ରହସ୍ୟ ନିହିତ ଅଛି ? ଆମ୍ଭେମାନେ ସହଜ ଓ ସରଳବୁଦ୍ଧିରେ ଏ ଦୃଶ୍ୟକୁ ନୃଶଂସତାପୂର୍ଣ୍ଣ ଦେଖିଥାଉଁ ।

 

ଦଶହରାର ପ୍ରକୃତ ସମାରୋହ ଉତ୍କଳୀୟ ରାଜନ୍ୟବର୍ଗଙ୍କ ମଧ୍ୟରେ ବିଦ୍ୟମାନ । କେତେକାଳ ପୂର୍ବେ ଏହି ଶାରଦୋତ୍ସବର ପବିତ୍ର ଦିବସରେ ହିନ୍ଦୁ ରାଜଗଣ ଦିଗ୍ବିଜୟରେ ବାହାରୁଥିଲେ, ବର୍ତ୍ତମାନ ଉତ୍କଳୀୟ ନରପତିମାନେ ସ୍ୱୀୟ ସ୍ୱୀୟ ଅନୁଚରବର୍ଗଙ୍କ ସହିତ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ହାସ୍ୟକଳରବରେ ଅରଣ୍ୟ ପ୍ରତିଧ୍ୱନିତ କରି ମୃଗୟାଯାତ୍ରା କରନ୍ତି ।

 

କୁମାରପୂର୍ଣ୍ଣିମା ଅଥବା କୋଜାଗର ପୂର୍ଣ୍ଣିମା ଦିନ ଶରତ୍‌କାଳ ପୂର୍ଣ୍ଣତା ଲାଭ କରେ । ଏହି ଦିନ ଅବିବାହିତା ବାଳିକାମାନଙ୍କର ନବୋଦିତ ଶରଚ୍ଚନ୍ଦ୍ରଙ୍କୁ ପୂଜା କରିବାର ବିଧି ଅଛି । ଶୁଭ-ଜ୍ୟେତ୍ସ୍ନା-ପୁଲକିତ, ଆନନ୍ଦକଲ୍ଲୋଳ-ପୂରିତ କୋଜାଗର-ପୂର୍ଣ୍ଣିମାର ସନ୍ଧ୍ୟାରେ ବାଳିକାମାନଙ୍କ ସରଳ, ସ୍ନିଗ୍ଧ କୌତୁକ-ହାସ୍ୟରେ ଚାରି ଆଡ଼ର ମାଧୁର୍ଯ୍ୟ ଆହୁରି ସମୁଜ୍ଜ୍ୱଳ ହୋଇ ଉଠୁଅଛି ! ଆକାଶର କେଉଁ ଦୂର ଦୂରାନ୍ତରରୁ ପୂର୍ଣ୍ଣଚନ୍ଦ୍ର ଏହି ସଙ୍କୋଚହୀନ ସରଳ ହାସ୍ୟୋଚ୍ଛ୍ୱାସ ଦେଖି ଅତ୍ୟନ୍ତ କୌତୁକ ବୋଧ କରୁଅଛନ୍ତି ଏବଂ ଚନ୍ଦ୍ରକିରଣରେ ସେହି କୌତୁକ ପରିସ୍ଫୁଟ ହେଉଅଛି । ସ୍ନିଗ୍ଧ ଶୋଭାବିଭାସିତ ଶାରଦ-ଲକ୍ଷ୍ମୀଙ୍କର କଳହାସ୍ୟ କଲ୍ଲୋଳିତ, ପୁଷ୍ପଗନ୍ଧ-ବିଳସିତ ବିମଳ ରାତ୍ରି-ଶୋଭା ଆଜି ସମ୍ପୂର୍ଣ୍ଣ । ଆକାଶରେ ଚନ୍ଦ୍ରଙ୍କର ହାସ୍ୟ, ବଣରେ ପ୍ରତ୍ୟେକ ପଲ୍ଲବ ଅନ୍ତରାଳବର୍ତ୍ତୀ ସୁବାସପୂର୍ଣ୍ଣ କୁସୁମର ହାସ୍ୟ, ଗୃହପ୍ରାଙ୍ଗଣରେ ବାଳକ ବାଳିକାମାନଙ୍କ ହାସ୍ୟ-ନିଖିଳର ସମସ୍ତ ହାସ୍ୟତରଙ୍ଗ ମିଶି ଏକ କୋମଳ ହାସ୍ୟସାଗର ସୃଷ୍ଟି କରୁଅଛି !

Image

 

ହେମନ୍ତ

 

ଉଜ୍ଜ୍ୱଳ ସୁବର୍ଣ୍ଣମୟ ସୂର୍ଯ୍ୟାସ୍ତ ଆଭରଣରେ ସଜ୍ଜିତ ହୋଇ ହେମନ୍ତ ଆସିଲା । ସରୋବରର ନୀଳ ଜଳରେ ରକ୍ତକଇଁ ଓ ନୀଳକଇଁର ଶୋଭା, ହ୍ରଦର ସନ୍ତରାବଣ ମଧ୍ୟସ୍ଥ ନୀଳକଇଁ ଫୁଲର ମସ୍ତକ ବିକାଶ, କାନନରେ ‘‘କାନନ-ଲକ୍ଷ୍ମୀଙ୍କ ଚନ୍ଦନରଚନା’’ ରୂପ ଅତଣ୍ଡୀର ଧବଳ-ପତ୍ର ଶୋଭା ଘେନି ହେମନ୍ତ ସ୍ୱୀୟ ପ୍ରଭାବ ବିସ୍ତାର କରୁଅଛି ।

 

ରବି ଶସ୍ୟର ହରିତିମାରେ କ୍ଷେତ୍ରସମୂହ ପରିଶୋଭିତ ହେଲାଣି । ଫେସି କୁସୁମ ଓ କୋଇଲିଖିଆର ନୀଳ ଫୁଲ ଏବଂ ଗୋଖରାର ହଳଦିଆ ଫୁଲରେ ପ୍ରକୃତିଦେବୀଙ୍କ ‘‘ଗାଲିଚା’’ ବିସ୍ତୃତ ହେଲାଣି । ହିମର ଅତିଶଯ୍ୟ ଯୋଗୁଁ ପଦ୍ମିନୀ ମ୍ଳାନଭାବ ଧାରଣ କଲାଣି । କାଣିକଉଡ଼ିଆ ଫୁଲରେ ଗୃହସ୍ଥ-ଘରର ବାଡ଼ ଅତି ରମଣୀୟ ଦିଶିଲାଣି । କୁଞ୍ଜଲତାର ରଙ୍ଗ ଓ ଧଳା ଫୁଲସମୂହରେ ଉଦ୍ୟାନ-ବୃତିସମୂହ ଶୋଭିତ ଏବଂ ଘର-ଚାଳ ଉପରେ ଶିମ୍ୱର ଧଳାଫୁଲରେ ସାତ୍ତ୍ୱିକଭାବ ସମାବିଷ୍ଟ । ଭୂଇଁ ବରକୋଳିରେ ବୁଦା ସବୁ ହରିଦ୍ରାଭ ଦିଶୁଅଛି । ନୀଳ ଜଡ଼ା କ୍ଷେତ କି ମନୋହର ଶୋଭା ଧାରଣ କରିଅଛି ! ‘‘ବଙ୍କିମ ବାଳ-ଇନ୍ଦୁ ପରି’’ ଅଗସ୍ତ୍ୟ ଫୁଲ ଚାରି ଆଡ଼େ ଫୁଟିଲାଣି ।

 

ଦୀପାବଳୀ ଆମାବାସ୍ୟରେ କୁଟୀରଠାରୁ ପ୍ରାସାଦ ପର୍ଯ୍ୟନ୍ତ ସମସ୍ତ ଗୃହ ନ୍ୟୂନାଧିକ ପରିମାଣରେ ଆଲୋକିତ ହୋଇଥାଏ । ଏହି ଆଲୋକ-ପ୍ରଦାନ ପ୍ରଥା ପୂର୍ବରୁ ଚାଲି ଆସୁଅଛି, ମାତ୍ର ଆମ୍ଭମାନଙ୍କର ସହଜ ବୁଦ୍ଧିରେ ଏପରି ଅନୁମାନ ହୁଏ ଯେ, ବର୍ଷାକାଳର ସଞ୍ଜାତ ଏବଂ ସଞ୍ଚିତ ନାନାବିଧ କୀଟ ସମୂହର ବିନାଶାର୍ଥେ ଏହି ଦୀପାବଳୀ ଆଲୋକମାଳାର ସୃଷ୍ଟି ।

 

ଏହି ଅମାବାସ୍ୟା ରାତ୍ରିରେ ଗୃହସ୍ଥମାନେ ସ୍ୱର୍ଗତ ପିତୃପୁରୁଷମାନଙ୍କ ଆହ୍ୱାନ କରିବାର ପ୍ରଥା ଉତ୍କଳର ସର୍ବତ୍ର ଅନୁଷ୍ଠିତ ହୁଏ । ‘‘ଅନ୍ଧାରରେ ଆସ, ଆଲୁଅରେ ଯାଅ’’ କଥାଟି ପ୍ରକୃତ ହୃଦୟସ୍ପର୍ଶୀ ।

 

ଉଷାର ପୂର୍ବକ୍ଷଣରୁ ହୁଳହୁଳୀ ଧ୍ୱନି ଶୁଭିଲାଣି । କାର୍ତ୍ତିକ-ସ୍ନାନାର୍ଥନୀ, ଗୃହସ୍ଥ-ମହିଳାମାନେ ନଦୀ ଏବଂ ପୁଷ୍କରିଣୀରେ ସ୍ନାନ ଏବଂ ‘‘ଅକ୍ଳାମା’’ ପୂଜା ଶେଷ କରି ବାହୁଡ଼ିଲେଣି । କି ପବିତ୍ର ସମୟର ପୂତଧ୍ୱନି ! ଯେଭଳି ବିଶ୍ୱାସ ଥାଉ ପଛକେ, ଦେବୀସ୍ୱରୂପିଣୀ, ପବିତ୍ରହୃଦୟା ସାଧ୍ୱୀମାନଙ୍କ ହୃଦୟରେହିଁ ଧର୍ମବିଶ୍ୱାସ ଅଟଳ ରହିଅଛି । ଭକ୍ତ-ରସ-ପ୍ଳାବିତ ହୃଦୟର ନିର୍ମଳ ଭାବ ଏହି ଗମ୍ଭୀର ମୁହୂର୍ତ୍ତରେ ଅନୁମିତ ହୋଇ ପାରେ, ଅନୁଭବର କ୍ଷମତା ଆମ୍ଭମାନଙ୍କର କଠୋର, ନୀରସ ଜୀବନରେ ନାହିଁ ପରା !

 

ଗୋବର୍ଦ୍ଧନପୂଜା, ନାଗଚତୁର୍ଥୀ ଓ ଅଁଳାନବମୀ ପ୍ରଭୃତି ପର୍ବସମୂହ ସ୍ତ୍ରୀମାନେ ଅଟଳ ଧର୍ମାନୁରାଗ ଯୋଗୁଁ ନିଷ୍ଠା ସହିତ ପାଳନ କରିଥାନ୍ତି । ଏଥିଉତ୍ତାରୁ କାର୍ତ୍ତିକ ବଡ଼ ଏକାଦଶୀ । ଏହି ଦିନଟି ମହିଳାମାନଙ୍କ, ବିଶେଷତଃ ବିଧବାମାନଙ୍କ ପକ୍ଷରେ ଅତି ପବିତ୍ର ଦିବସ । ଏହି ଦିନ ଖଣ୍ଡପଡ଼ାରାଜ୍ୟସ୍ଥ ମହାନଦୀତୀରବର୍ତ୍ତୀ କଣ୍ଟିଲୋ ଗ୍ରାମର ଶିଖରୀ ଉପରେ ପ୍ରତିଷ୍ଠିତ ନୀଳମାଧବଙ୍କ ପ୍ରସିଦ୍ଧ ମନ୍ଦିର ନିକଟରେ ମହତୀ ମେଳା ବସେ । ସ୍ତ୍ରୀ ପୁରୁଷ ମିଶି ପ୍ରାୟ ୧୦।୧୫ ସହସ୍ର ଲୋକ ଏଠାରେ ସମବେତ ହୁଅନ୍ତି ଏବଂ ଧର୍ମବିଶ୍ୱାସ ସହିତ ନୀଳମାଧବଙ୍କ ଶିଖରଦେଶର ଅତିଳନୀୟ ନୈସର୍ଗିକ ଶୋଭାରେ ସମସ୍ତେ ମୋହିତ ହୋଇ କର୍ମ-କ୍ଳାନ୍ତ, କଠୋର ଜୀବନର ପୁନରଭିନୟ ସକାଶେ ଗୃହ ପ୍ରତ୍ୟାଗମନ କରନ୍ତି ।

 

କାର୍ତ୍ତିକ ଶୁକ୍ଳ ଚତୁର୍ଦଶୀରେ ଧବଳେଶ୍ୱରଙ୍କ ବଡ଼ଓଷା ଯାତ୍ରା ଉତ୍କଳର ଏକ ପ୍ରସିଦ୍ଧ ପର୍ବ-। ଏହି ଦିବସ ଏବଂ ଏହାର ପୂର୍ବ ଦିବସତ୍ରୟ ଧବଳେଶ୍ୱର-ଦ୍ୱୀପ ଜନସମୁଦ୍ରରେ ଆଚ୍ଛନ୍ନ ହୋଇଥାଏ-। ନଦୀତଟ, ବାଲି, ଆମ୍ୱତୋଟା ଏବଂ ପ୍ରତ୍ୟେକ ବୁଦାରେ ଅଗଣିତ ନର-ମୁଣ୍ଡ ସହିତ ବିବିଧ ରଙ୍ଗ ଶାଢ଼ୀର ଓଢ଼ଣା ମିଶି ଅପୂର୍ବ-ଦର୍ଶନ ହୁଏ । ଏଠାକୁ ୮୦ ଏବଂ ୧୦୦ ମାଇଲ ଦୂରରୁ ଅଟଳ ଧର୍ମବିଶ୍ୱାସସମ୍ପନ୍ନ ଲୋକମାନଙ୍କର ସମାଗମ ହୁଏ ଏବଂ ବୃଦ୍ଧା ବିଧବାମାନେ ଏହି ସମସ୍ତ ପଥ ପଦବ୍ରଜରେ ଆସିକି ଭଳି କ୍ଳାନ୍ତ ହୋଇପଡ଼ନ୍ତି, ତାହା ସହଜରେ ଅନୁମେୟ । କେବଳ ଅଟଳ ବିଶ୍ୱାସ ହିଁ ଏମାନଙ୍କର ସମ୍ୱଳ ଏବଂ ଥରେ ମାତ୍ର ଅତି କଷ୍ଟରେ ବିଗ୍ରହ ଦର୍ଶନ ଉତ୍ତାରୁ ସମସ୍ତ କଷ୍ଟ ବିସ୍ମୃତ ହୁଅନ୍ତି ।

 

ଏହି ପର୍ବ ଉପଲକ୍ଷରେ ଧବଳେଶ୍ୱରଙ୍କଠାରେ ‘‘ଗଜମଣ୍ଡା’’ ପିଠା ପ୍ରସିଦ୍ଧ । ଯେଉଁମାନେ ଆସି ନ ପାରନ୍ତି, ସେମାନେ ସ୍ୱ ସ୍ୱ ଗ୍ରାମସ୍ଥ ଗୃହରେ ଉପବାସୀ ରହି ପିଠା ପ୍ରସ୍ତୁତ କରନ୍ତି । ସୁଦୂର ବାମଣ୍ଡା, ଲହଡ଼ା, ତାଳଚେରଠାରୁ କୁଜଙ୍ଗ, କନିକା ପର୍ଯ୍ୟନ୍ତ ଏବଂ ଦକ୍ଷିଣରେ ଖୋରଧାଠାରୁ ଭଦ୍ରଖ ପର୍ଯ୍ୟନ୍ତ ଏହି ଉପବାସ (ଓଷା) ପରିବ୍ୟାପ୍ତ ରହିଅଛି ।

 

ବଡ଼ଓଷାର ପର ଦିବସ କାର୍ତ୍ତିକ ପୂର୍ଣ୍ଣିମା । ଏହି ଦିନଟି ଅତି ପବିତ୍ର ବୋଲି ସମସ୍ତଙ୍କର ଅଗାଧ ବିଶ୍ୱାସ । ଉଷା ପୂର୍ବରୁ ଧବଳେଶ୍ୱର ନିମ୍ନସ୍ଥ ମହାନଦୀ ବକ୍ଷରେ ସ୍ନାନାର୍ଥିମାନଙ୍କର ଅସଂଖ୍ୟ ଦୀପ-ପ୍ରଜ୍ୱଳିତ କ୍ଷୁଦ୍ର କ୍ଷୁଦ୍ର କଦଳୀବାହୁଙ୍ଗାମାନ ଭାସି ଭାସି ତରଙ୍ଗିଣୀ ଜଳକୁ ଉଜ୍ଜ୍ୱଳ-ତାରକିତ କରିଅଛି । କାର୍ତ୍ତିକର ହବିଷ୍ୟାନ୍ନଭକ୍ଷଣ ଆଜିଠାରୁ ସମାପ୍ତ ହେଲା । ଧର୍ମ ସହିତ ସ୍ୱାସ୍ଥ୍ୟରକ୍ଷାର ନିୟମମାନ ଗୁନ୍ଥି ଆମ୍ଭମାନଙ୍କର ପୂର୍ବପୁରୁଷମାନେ ମହୋପକାର ସାଧନ କରିଅଛନ୍ତି । ବିଶେଷତଃ କାର୍ତ୍ତିକର ଋତୁ ପରିବର୍ତ୍ତନ ସମୟରେ ଶରୀରକୁ ଶୁଷ୍କ ରଖିବା ବିଧେୟ ଜାଣି, କାର୍ତ୍ତିକ ମାସରେ ଉପବାସ ଓ ହବିଷ୍ୟାନ୍ନ ଗ୍ରହଣର ବ୍ୟବସ୍ଥା କରି ଯାଇଅଛନ୍ତି । ବାସ୍ତବିକ ‘‘ବହ୍ୱାହାରଶ୍ଚ କାର୍ତ୍ତିକେ’’ ବିଜ୍ଞାନସମ୍ମତ ଅହିତକର ।

 

ସୂର୍ଯ୍ୟଦେବ ଦେବୀଦ୍ୱାର ପାହାଡ଼ରେ ଅସ୍ତ ହେଲେ । ଏହି ସମୟରେ ଦେବୀଦ୍ୱାର ପାହାଡ଼ ଶୃଙ୍ଗରେ ସୂର୍ଯ୍ୟାସ୍ତ ହୋଇଥାଏ । ପୁଣି ଗ୍ରୀଷ୍ମକାଳରେ ସପ୍ତଶଯ୍ୟା ପର୍ବତ ପର୍ଯ୍ୟନ୍ତ ସୂର୍ଯ୍ୟାଗମନ ହୋଇଥାଏ । ଧୂସର ସନ୍ଧ୍ୟାର ସ୍ନିଗ୍ଧ ଛାୟା ମହାନଦୀର ଅପର ପାର୍ଶ୍ୱସ୍ଥିତ ଗ୍ରାମସମୂହ ଆଚ୍ଛନ୍ନ କରି ପକାଇଲା । ପକ୍ଷିକୁଳ କଳ-କାକଳିମୁଖରିତ ଗଗନପଥରେ କୁଳାୟ ଅଭିମୁଖରେ ପ୍ରତ୍ୟାଗମନ କରୁଅଛନ୍ତି, ଅନ୍ଧକାର ନିବିଡ଼ ହୋଇ ଆସୁଅଛି । ଗୃହସ୍ଥ ଗୃହରେ, ନଦୀତୀରସଂଲଗ୍ନ ନୌକାରେ ଏବଂ ଆମ୍ରକାନନ ପରିବେଷ୍ଟିତ ଦୂରବର୍ତ୍ତୀ କୃଷକ-କୁଟୀରସମୂହରେ ଗୋଟିଏ ଲେଖାଏଁ ଆଲୁଅ ଧୀରେ ଧୀରେ ଜଳି ଉଠିଲା ।

 

ଦେଖୁଁ ଦେଖୁଁ ହେମନ୍ତର ପୂର୍ଣ୍ଣ ଶଶଧର ଜ୍ୟୋତିର୍ମୟ ସୁବୃହତ୍‌ ରଜତଚକ୍ରବତ୍‌ ସମୁଦିତ ହେଲେ । ଅଜ୍ଞାତ ଐନ୍ଦ୍ରଜାଲିକ ଶକ୍ତିପ୍ରଭାବରେ ଦିବସର ରୌଦ୍ରକ୍ଳାନ୍ତ, କର୍ମଶ୍ରାନ୍ତ ପ୍ରକୃତି ହସି ଉଠିଲେ । ମେଘଶୂନ୍ୟ ନିର୍ମଳ ନୀଳାକାଶରେ ଗୋଟିଏ ଯୋଡ଼ିଏ ନକ୍ଷତ୍ରର ଲଜ୍ଜାକାତର ନିର୍ନିମେଷ ଦୃଷ୍ଟି ସୁପରିସ୍ଫୁଟ ଶୁଭ୍ର ଚନ୍ଦ୍ରକିରଣ ଭେଦ କରି ପୃଥିବୀ ଉପରେ ପଡ଼ିଗଲା । ଏହି ସମୟରେ ଧବଳେଶ୍ୱର ଦ୍ୱୀପର ଦୃଶ୍ୟ ଯେ ଦେଖିଅଛନ୍ତି, ତାହା ତାହାଙ୍କର ମନ ଏବଂ ହୃଦୟରେ ଆମରଣ ଲାଖି ରହିବ ।

 

ଏହି ଦିନ ଉତ୍କଳପ୍ରସିଦ୍ଧ ଶରଦ୍ରାସ ଯାତ୍ରା ଶେଷ ହୁଏ । ଏହି ରାସୋତ୍ସବ ପୁରୀରେ ଏବଂ ଉତ୍କଳର ପ୍ରସିଦ୍ଧ ପ୍ରସିଦ୍ଧ ଗ୍ରାମସମୂହରେ ଅନୁଷ୍ଠିତ ହୋଇଥାଏ । ଝୁଲଣା ଯାତ୍ରା ଭଳି ଏହା ମଧ୍ୟ ଶ୍ରୀକୃଷ୍ଣଙ୍କର ଗୋଟିଏ ପ୍ରଧାନ ଯାତ୍ରା । କେତେକ ବର୍ଷ ହେଲା ଆଠଗଡ଼ରେ ମଧ୍ୟ ଏହି ଯାତ୍ରା ପ୍ରସିଦ୍ଧି ଲାଭ କରିଅଛି । ଏହି ଯାତ୍ରାରେ ଭକ୍ତିର ଅଂଶ ଅପେକ୍ଷା ଉତ୍ସବ ଓ ସମାରୋହର ପ୍ରଧାନ୍ୟ ଲକ୍ଷିତ ହୁଏ ।

 

ପ୍ରଥମାଷ୍ଟମୀ କେବଳ ଉତ୍କଳୀୟଙ୍କ ପର୍ବ । ଏହା ଅନ୍ୟ କୌଣସି ଦେଶରେ ଲକ୍ଷିତ ହୁଏ ନାହିଁ । ଜ୍ୟେଷ୍ଠ ପୁତ୍ରର ସମ୍ମାନ ଏବଂ ପରମାୟୁ ବୁଦ୍ଧି କାମନାରେ ଏହାର ଅନୁଷ୍ଠାନ । ନାନା ଜାତୀୟ ପିଷ୍ଟକ ଓ ପାୟସାଦି ପ୍ରସ୍ତୁତ କରି ଜ୍ୟେଷ୍ଠ ସନ୍ତାନକୁ ଚନ୍ଦନଚର୍ଚ୍ଚିତ, ପୁଷ୍ପମାଳା-ବିଭୂଷିତ, ହରିଦ୍ରା-ରଞ୍ଜିତ-ନବବସ୍ତ୍ର-ମଣ୍ଡିତ କରାଇ ଆହାର କରାଇବାହିଁ ଏହାର ମୁଖ୍ୟ ବଧାନ । ଦେଶପ୍ରଚଳିତ ବିବିଧ ପତ୍ରାବରଣ-ସିଦ୍ଧ ଏଣ୍ଡୁରି, ମୁଆଁ-ଏଣ୍ଡୁରି ଓ ଘି ପିଠା, ଦୁଧଗଇଁଠା ପ୍ରଭୃତି ପିଷ୍ଟକରାଶି ପ୍ରତ୍ୟେକ ଗୃହସ୍ଥଙ୍କ ଘରେ ପ୍ରସ୍ତୁତ ହୁଏ ।

 

ଓଢ଼ଣ ଷଷ୍ଠୀ କୁମ୍ଭକାରକମାନଙ୍କର ବିଶେଷ ପର୍ବ । ଏଥିରେ କୁମ୍ଭକାରମାନଙ୍କ ଚକ୍ରପୂଜାର ବିଧି ଅଛି ଏବଂ ସଙ୍ଗେ ସଙ୍ଗେ ଆହାର ବିଶେଷତ୍ୱର ମଧ୍ୟ ଅନୁଷ୍ଠାନ ହୋଇଥାଏ ।

 

ମାର୍ଗଶିର ମାସର ପ୍ରତ୍ୟେକ ଗୁରୁବାର ଉତ୍କଳୀୟଙ୍କ ପକ୍ଷରେ ପବିତ୍ର ଦିବସ । ଏହା ‘‘ମାଣ-ବସା’’ ଗୁରୁବାର ନାମରେ ପ୍ରସିଦ୍ଧ । ଏହି ସବୁ ଗୁରୁବାରମାନଙ୍କରେ ଉତ୍କଳରେ ଲକ୍ଷ୍ମୀଦେବୀଙ୍କର ପୂଜା ହୁଏ । ସର୍ବ ସମ୍ପଦ ସକଳ ସୌଭାଗ୍ୟର ଅଧିକାରିଣୀ, ଅଖଣ୍ଡ ଐଶ୍ୱର୍ଯ୍ୟର ଅଧିଷ୍ଠାତ୍ରୀ ଦେବତା, ପଦ୍ମମୟ ସିଂହାସନୋପରି ପଦ୍ମାସନ-ସମାସୀନ କମଳା ଦେବୀଙ୍କର ପୂଜା ହିନ୍ଦୁ ଘରେ ପ୍ରସିଦ୍ଧ । ଲକ୍ଷ୍ମୀଦେବୀଙ୍କର ସ୍ୱର୍ଗୀୟ ସୌନ୍ଦର୍ଯ୍ୟ ପ୍ରତି ଅଭିନିବେଶ ସହକାରେ ଚିତ୍ତବୃତ୍ତି ସମର୍ପଣ କଲେ ତାହାଙ୍କ ଦେହର ତପ୍ତକାଞ୍ଚନତୁଲ୍ୟ ପ୍ରଭାରେ ଯୌବନର ସୁଖ ଓ ଶକ୍ତି, ମହାମୂଲ୍ୟ ବସ୍ତ୍ରା-ଭରଣରେ ଐଶ୍ୱର୍ଯ୍ୟ, କରି-ଶୁଣ୍ଢ-ଧୃତ ସ୍ନାନ-କଳସର ସ୍ୱଚ୍ଛ ସଲିଳରେ ଶାନ୍ତି ଏବଂ ସ୍ନିଗ୍ଧତା ଏବଂ ପଦ୍ମାସନରେ ପରମପଦର ଆବିର୍ଭାବ ହୋଇଥାଏ । ଏହି ଅପୂର୍ବ ପ୍ରତିମା କେତେଦୂର ସୁନ୍ଦର ଏବଂ ଭାବାଭିନୟମୂଳକ, ତାହା ଯଥାର୍ଥରୂପେ ହିନ୍ଦୁ ଜାତି ଏବଂ ହିନ୍ଦୁ କବି ହୃଦୟଙ୍ଗମ କରି ଏହି ପ୍ରତିମାକୁ ଜଗଜ୍ଜନନୀଙ୍କର ପ୍ରତିମାରୂପେ ପୂଜା କରିଅଛନ୍ତି । ସମସ୍ତ ଐଶ୍ୱର୍ଯ୍ୟର ଉପାଦାନସ୍ୱରୂପ ଧାନ୍ୟ ସମର୍ପଣ କରି ଉତ୍କଳୀୟ ଗୃହରେ ମାର୍ଗଶୀର୍ଷ ମାସର ଗୁରୁବାର ଦିନ ଲକ୍ଷ୍ମୀଦେବୀଙ୍କର ପୂଜା ହୋଇଥାଏ । ଶେଷ ଗୁରୁବାର ଦିନ ଗୃହର ସମସ୍ତ ଅଂଶ ଚିତ୍ରିତ ହୁଏ ଏବଂ ପିଠାପଣାର ଯଥେଷ୍ଟ ଆୟୋଜନ ହୁଏ । ଫଳତଃ କାର୍ତ୍ତିକ ମାସର ଉପବାସ ଉତ୍ତାରୁ ଏହି ମାସରେ ଭୂରି ଭୋଜନର ବ୍ୟବସ୍ଥାରୂପ ପର୍ବମାନ ଉତ୍କଳୀୟମାନେ ଖଞ୍ଜି ଯାଇଅଛନ୍ତି ।

 

ମାର୍ଗଶିର ପୂର୍ଣ୍ଣିମାକୁ ‘ପଣ୍ତୁ ପୂର୍ଣ୍ଣିମା’ କହନ୍ତି । ଏହି ଦିନ ହେମନ୍ତ ଋତୁର ଶେଷ । କୁରୁଯୁଦ୍ଧ ସମାପନାନ୍ତେ ପାଣ୍ତବମାନେ ଏହି ଦିନ ‘‘ଅକୂଳ, ଅତଳ, କୁରୁସମରସାଗର’’ର ତରଣୀସ୍ୱରୂପ ଶ୍ରୀକୃଷ୍ଣଙ୍କୁ ପୂଜା କରିଥିଲେ ବୋଲି ଏହାର ନାମ ପଣ୍ତୁ ପୂର୍ଣ୍ଣିମା ହୋଇଅଛି । ଏହି ପଣ୍ତୁ ଓଷାରେ ମଧ୍ୟ ପିଷ୍ଟକାଦିର ଆୟୋଜନ ପ୍ରତି ଘରେ ଲକ୍ଷିତ ହୁଏ ।

 

ସନ୍ଧ୍ୟାରୁ ପ୍ରାକ୍କାଳରୁ ଲୋକାଳୟର ସମସ୍ତ ଧୂମରାଶି ଏକତ୍ରିତ ହୋଇ ପଦାକୁ ବାହାରି ପ୍ରାନ୍ତର ଆଚ୍ଛନ୍ନ କରୁଅଛି । ଶୀତଳ ହିମ-କଣା-ବାହୀ ସମୀରଣରେ ଶରୀର ରୋମାଞ୍ଚିତ ହୋଇ ଉଠୁଅଛି । ପୁଞ୍ଜୀଭୁତ ହିମବିନ୍ଦୁସମୂହରେ ଚନ୍ଦ୍ର କିଞ୍ଚିତ୍‌ ନିଷ୍ପ୍ରଭ ହେଲେଣି । କ୍ରିମଶଃ କନିଷ୍ଠ ଜ୍ୟେଷ୍ଠକୁ ସମ୍ଭୋଧନ କଲା ପରି ହେମନ୍ତ ଋତୁ ଶୀତକୁ ଆହ୍ଵାନ କଲା ।

ଶୀତ ।

 

‘‘ଚାହୁଁ ଚାହୁଁ ହେଲା ହେମନ୍ତ ପରିଣତ ଶିଶିରେ,

‘‘ଘୋର ଜାଡ଼ ମାଡ଼ି ପଡ଼ିଲା କହୁଁ କହୁଁ ମହୀରେ ।’’

 

ଶୀତର ଆରମ୍ଭସୂଚକ ଅତି ସାମାନ୍ୟ କଥାରେ ଏହି ଅପୂର୍ବ ବର୍ଣ୍ଣନା ଯେଉଁ ସିଦ୍ଧ-ହସ୍ତ ଲେଖନୀରୁ ବାହାରିଅଛି, ତାହାଙ୍କୁ ଶତ ସହମ୍ର ଧନ୍ୟବାଦ । ଶୀତ ମାଡ଼ି ଆସିଲା । ଶୁଭ୍ର ନଦୀସୈକତରେ ଗାଢ଼ ନୀଳ-ଜଳ-ବେଣୀ ଦୂରରୁ ମନୋହର ଦିଶୁଅଛି, ମାତ୍ର ଏହି ଜଳସ୍ପର୍ଶ ଅତ୍ୟନ୍ତ କଷ୍ଟକର । ବରାହ, ହରିଣ, ବନ୍ୟହସ୍ତୀ ପ୍ରଭୃତିର ଉପଦ୍ରବ ନିବାରଣାର୍ଥ ପାର୍ବତୀୟ କ୍ଷେତ୍ରସମୂହରେ ମଞ୍ଚ ବନ୍ଧା ହୋଇ ରାତିରେ ‘‘ଭାଡ଼ି ଜଗିବାକୁ’’ କୃଷକକୁଳ ବ୍ୟସ୍ତ ରହିଅଛନ୍ତି । ପୀତବର୍ଣ୍ଣ ସର୍ଷପକ୍ଷେତ୍ର, ପୁଷ୍ପଶୋଭିତ ହରଡ଼କ୍ଷେତ୍ର ଓ ହରିତ୍‌ ଇକ୍ଷୁକ୍ଷେତ୍ରରେ ଚତୁର୍ଦିଗ ସୁନ୍ଦର ଦିଣିଲାଣି । ପର୍ବତର ନୀଳିମା କୁଜ୍‌ଝଟିକାରେ ଆବୃତ ହୋଇ ଟିକିଏ ମ୍ଳାନ ଦିଶୁଅଛି ! ଗୋଲାପୀ ରଙ୍ଗର ସୂର୍ଯ୍ୟାସ୍ତ ଶୀତ କାଳର ପୂର୍ଣ୍ଣ ପରିଚୟ ପ୍ରଦାନ କରେ ।

 

ଧାନ କଟା ଶେଷ ହେବାକୁ ବସିଲାଣି । କେତେ କ୍ଷେତ୍ରରେ ଧାନ ରହି ଯାଇଅଛି । ଭରତିଆ ଦମ୍ପତୀଙ୍କ ରବରେ ସମସ୍ତ ମୁଖରିତ ହେଲାଣି । ପିଲାମାନେ ଧାନ ମେଣ୍ଟା ପ୍ରସ୍ତୁତ କରିବାରେ ଲାଗିଅଛନ୍ତି ଏବଂ ଧାନକଟାଳିମାନେ କଳେଇ ମୁଣ୍ତରେ ବୋହି ‘‘ଜଗତଯାକର ବୋଝ ମୁଣ୍ତାଇଛୁ ହସି ହସି ଗୀତ ଗାଇ’’ କଥାଟିକୁ ସାର୍ଥକ କଲେଣି । ଖଳାରେ ଶୋଇ ନୀଳ ଆକାଶରେ ଶଙ୍ଖଚିଲର ଉଡ଼ିବାର ଶୋଭା ଯେ ଦେଖିଅଛନ୍ତି, ତାହାଙ୍କ ନୟନଧାରଣ ସାର୍ଥକ ହୋଇଅଛି ।

 

ଦୂରରୁ ଅଗରା ଗଛପୂର୍ଣ୍ଣ ଭୂମିଖଣ୍ତ ଇନ୍ଦ୍ର-ନୀଳ-ଭୂଖଣ୍ତ ପରି ପ୍ରତୀୟମାନ । ଏହାର ପୀତ କୁସୁମ ନୀଳ-ଭୂମିରେ ସୁବର୍ଣ୍ଣର ଖତ ପରି ଦିଶୁଅଛି । ଶୁଷ୍କ ଖାଲଗୁଡ଼ିକରେ କୋଇଲିଖିଆ ଫୁଲ ଫୁଟିଅଛି । ଯେଉଁ ଖାଲରେ କଇଁ ଫୁଲ ଫୁଟିଥିଲା, ସେ ଖାଲ ବର୍ତ୍ତମାନ ଶୁଷ୍କ, ଏଣୁ କୋଇଲିଖିଆ କଇଁର ସ୍ଥାନ ଅଧିକାର କଲାଣି । ଆମ୍ବଗଛର ପତ୍ରାବଳୀ ବକୁଳୋଦ୍ଗମ ନିମିତ୍ତ ପ୍ରସ୍ତୁତ ହୋଇ କୁଣ୍ତଳୀକୃତ ହେଉଅଛି । ଶତବର୍ଗ ଫୁଲସମୂହରେ ଉଦ୍ୟାନ ଆଲୋକିତ ହେଲାଣି ଏବଂ ପାଟଳ କୁରୁବକ ଫୁଲ ସ୍ଥାନେ ସ୍ଥାନେ ଗାଢ଼ ହରିତ୍‌ ବୃକ୍ଷର ହାସ୍ୟ ପରି ବିକଶିତ ହେଲାଣି । ପର୍ବତର ଗାତ୍ର ଓ ପାଦଦେଶରେ ରସତିଳା କ୍ଷେତ୍ରସମୂହ ମହୀଧର-ପୀତାମ୍ବର ଭଳି ବୋଧ ହେଲାଣି । ସୁବିସ୍ତୀର୍ଣ୍ଣ ତଣାଚ୍ଛନ୍ନ ଭୂମିରେ ସୁକଣ୍ଠି ନାମକ କ୍ଷୁଦ୍ରକାୟ ପ୍ରସ୍ଫୁଟିତ ନୀଳ ଫୁଲରେ ସମସ୍ତଙ୍କର ନୟେନ ଆକୃଷ୍ଟ ହେଉଅଛି । ବଣରେ ପିଆଳ ଗଛସମୂହ ମୁକୁଳିତ ହେଉଅଛି- ବସନ୍ତ ଶୁଭାଗମନରେ ସ୍ୱୀୟ ସ୍ୱାଦୁଯୁକ୍ତ ଆରକ୍ତ ଫଳସମୂହ ସଂସାରକୁ ଉପହାର ପ୍ରଦାନ କରିବେ । ମହାନଦୀ ଏବଂ ଅଂଶୁପା ହ୍ରଦରେ ଅଗଣ୍ୟ ଚକ୍ରବାକଦମ୍ପତୀର ସମାଗମ ହେଲାଣି ।

 

ଧନିଆକ୍ଷେତ୍ର ଧଳା ଫୁଲରେ ଆଚ୍ଛନ୍ନ ହେଲାଣି । ଗନ୍ଧଗୋହିର (ବବୁର) ଗଛର ହଳଦିଆ ଫୁଲସମୂହ ଅପୂର୍ବ ସୌରଭ ବିସ୍ତାର କରୁଅଛି । ଟୋପର, ମୁନିଆ, ଦୟାଳୁ, ପାଣିଯମୁନା ପ୍ରଭୃତ୍ତି ପକ୍ଷିସମୂହର କାକଳୀ ଉତ୍ତରା ପବନରେ ଭାସି ଆସୁଅଛି । ଚିଲିକାରେ ଅସଂଖ୍ୟ ଶ୍ୱେତପକ୍ଷୀ ଦୂରରେ ମାଳାକାର ହୋଇ ଦୋହଲି ଦୋହଲି ପ୍ରଦୋଷ କିରଣରେ ଯେତେବେଳେ ଧପ୍‌ ଧପ୍‌ ହେଉଥାନ୍ତି, ଦୂରର ନୌକାବାହିମାନେ ସେମାନଙ୍କୁ ଦେଖି ଚକ୍ରବାଳରେ ଦୋଦୁଲ୍ୟମାନ ପ୍ରାସାଦ ମନେ କରିବା ସ୍ୱାଭାବିକ । ଚିଲିକାରେ ଏରା ପକ୍ଷୀ ଶୀତର ଆରମ୍ଭରୁ ବସନ୍ତ ପର୍ଯ୍ୟନ୍ତ ରହନ୍ତି । ଏହି ପକ୍ଷିର ପରସମୂହ ଯୋଦ୍ଧାମାନଙ୍କ ଉଷ୍ଣୀଷ-ଶିଖାରୂପେ ବ୍ୟବହୃତ ହୋଇଥାଏ ।

 

ରାତ୍ରିରେ ଅସଂଖ୍ୟ ଉଲ୍କାପତନ ଦୃଷ୍ଟିଗୋଚର ହେଉଅଛି । ଭୂଇଁ-ବରକୋଳି ପାଚିବାରୁ ବନଭୂମିରେ ଭଲ୍ଲୁକର ଭୟ ପ୍ରବଳ ହେଲାଣି । ଚାରିଆଡ଼େ ବିଲୁଆର ରଡ଼ି ଶୁଭୁଅଛି । ସୋରିଷ ଫୁଲ ଫୁଟିବା ସମୟରେ ବାଘର ଭୟ ହୁଏ । କରଡ଼ାବୁଦା ବାଘର ପ୍ରିୟ ନିକୁଞ୍ଜ -ଏଣୁ କରଡ଼ା ବୁଦା ନିକଟକୁ ଯିବାକୁ ସାହାସ ହେଉ ନାହିଁ । ମତ୍ସ୍ୟମୟୀ ନୀଳ ଚିଲିକା ବକ୍ଷରେ ନୌକା ଉପରେ ମଶାଲ ଜାଳି ରାତ୍ରିରେ ମାଛ ଧରା ଆୟୋଜନରେ ମତ୍ସ୍ୟଜୀବୀ କେଉଟମାନେ ବ୍ୟସ୍ତ ହେଲେଣି । ଅନ୍ୟାନ୍ୟ ପୁଷ୍କରିଣୀ ଶୁଷ୍କ ହେବା ପୂର୍ବରୁ ମଧ୍ୟ କେଉଟମାନେ ରାତିରେ ମାଛ ଧରିବାରେ ଲାଗନ୍ତି ।

 

ପାର୍ବତ୍ୟ ପ୍ରଦେଶମାନଙ୍କରେ ଶୀତର ପରାକାଷ୍ଠା ପ୍ରଦର୍ଶିତ ହୁଏ । କେନ୍ଦୁଝରସ୍ଥ ଭୁୟାଁପୀଢ଼, କନ୍ଦମାଳ ଏବଂ ମୟୂରଭଞ୍ଜର ଶିମୁଳୀପାଳ ପ୍ରଭୃତି ସ୍ଥଳରେ କ୍ଷୀଣ ତୁଷାରପାତ ହେଉଅଛି । ଉତ୍କଳର ସମସ୍ତ ପାର୍ବତ୍ୟ ପ୍ରଦେଶ ମଧ୍ୟରେ କଳାହାଣ୍ତି ଅନ୍ତର୍ଗତ କାଶୀପୁର ରାଜ୍ୟର ତୁଷାରପାତ ସର୍ବାପେକ୍ଷା ଉଲ୍ଲେଖଯୋଗ୍ୟ ।
 

ଗିରିକନ୍ଦର ଏବଂ ସଙ୍କଟସ୍ଥଳୀରେ ବଳଦିଆମାନେ ବନମାର୍ଗ ଦେଇ ମୟୂରପୁଚ୍ଛ ଶୋଭିତ ଛେଲା ବଳଦ ଘେନି ଯାଉଅଛନ୍ତି । ଏମାନଙ୍କର ଗଳ-ଘଣ୍ଟା ଶବ୍ଦରେ ଗିରିକନ୍ଦର ଝଙ୍କାରିତ ହେଉଅଛି । ଧାନକଟା ଶେଷରେ ଚାଷିମାନେ ପର୍ବତକୁ କାଠ କାଟିବାକୁ ଯାଇଅଛନ୍ତି । ଏମାନଙ୍କ କୁଠାର ଶବ୍ଦରେ ବନଭୂମିର ପ୍ରତିନାଦ ଶବ୍ଦ-ଭୀଷଣତାର ପରିଚୟ ଦେଉଅଛି ।

 

ଶମ୍ବରଦଶମୀ ଉତ୍କଳୀୟମାନଙ୍କର ଗୋଟିଏ ପ୍ରଧାନ ପର୍ବ । ଏହି ଦିବସରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦତ୍ତ ହୋଇଥାଏ । ପୃଷ୍ୟାଭିଷେକ ପୂର୍ଣ୍ଣମାରେ ରାଜାମାନଙ୍କ ଅଭିଷେକ-ଉତ୍ସବ ମହାସମାରୋହରେ ସମ୍ପନ୍ନ ହୋଇଥାଏ । ବଉଳ ଅମାବାସ୍ୟାରେ ଆମ୍ରମୁକୁଳର ଉଦ୍ଗମ ହୋଇଥାଏ ଏବଂ ଶ୍ରୀ ଜଗନ୍ନାଥ ଦେବଙ୍କୁ ଆମ୍ବ ବଉଳ ସମର୍ପିତ ହୁଏ । ଏହି ବଉଳର ନ୍ୟୁନାଧିକ୍ୟରେ ଭବିଷ୍ୟତ୍‌ ଆମ୍ବଫଳର ସୂଚନା ହେଉଅଛି । ମାତ୍ର ବଉଳର ପ୍ରଧାନ ଶତ୍ରୁ କୁହୁଡ଼ି ଆରମ୍ଭ ହୋଇ ଦିଗନ୍ତ ଆଚ୍ଛନ୍ନ କଲାଣି ଏବଂ ସମସ୍ତଙ୍କର ପକ୍ୱରସାଳ ଫଳରେ ରସନାତପ୍ତି ସମ୍ପାଦନ ଆଶାରେ ଆଘାତ ପ୍ରଦାନ କରୁଅଛି ।

 

ବରକୋଳି ଉପରେ ଶିଶିରବିନ୍ଦୁ ସମୂହ, ସ୍ୱର୍ଣ୍ଣ କଣ୍ଠମାଳାର ଦାନା ସମୂହ ମୁକ୍ତାଜଡ଼ିତ ହେଲା ପ୍ରାୟ ଦିଶୁଅଛନ୍ତି । ପୁଷ୍କରିଣୀର ନୀଳ ଜଳରୁ ଧୂମୋଦ୍ଗମ ହେଉଅଛି ଏବଂ ଏହି ଧୂମ ମଧ୍ୟରୁ ରକ୍ତ କୋଳନଦ ଚିତ୍ତପ୍ରସନ୍ନକାରୀ ରମଣୀୟ ଶୋଭା ବିକୀରଣ କରୁଅଛି । ସ୍ଥାନେ ସ୍ଥାନେ ଧତୁରାଫୁଲର ଧଳାରଙ୍ଗ ଭଦ୍ଭାସିତ ହେଲାଣି । ଦଣ୍ତୋତ୍ପଳ ଓ ଝୁମଝୁମିଆ ଫୁଲ ଫୁଟି ସାରିଲାଣି । ପର୍ବତସମୂହରେ ସହସ୍ର ସହସ୍ର ମଇନା ଏବଂ ଶୁଆ ଆକାଶ ଘୋଡ଼ାଇ ଉଡ଼ି ଯାଉଅଛନ୍ତି । ଶିମଳୀ ଗଛ ସବୁ ନିଷ୍ପତ୍ର ହେଲାଣି, ଲଙ୍କାଆମ୍ର ଗଛଗୁଡ଼ିକର ପାଚିଲା ପତର ସବୁ ଘୋର ରକ୍ତବର୍ଣ୍ଣ ଦିଶିଲାଣି ।

 

ମକରସଂକ୍ରାନ୍ତିରେ ଖୋରଧାର ହଟକେଶ୍ୱରଙ୍କ ଯାତ୍ରା ଉତ୍କଳରେ ଚିରପ୍ରସିଦ୍ଧ । ଏଠାରେ ତପ୍ତପ୍ରସ୍ରବଣ ଦେଖିବାକୁ ଅନେକ ନରନାରୀ ସମବେତ ହୁଅନ୍ତି ଏବଂ ଏହି ସ୍ଥାନ ଅସଂଖ୍ୟ ଦୋକାନରେ ପୂର୍ଣ୍ଣ ହୁଏ । ସମୟ ସମୟରେ ଏହି ମେଳାକୁ ୫୦।୬୦ ହଜାର ଯାତ୍ରୀ ଆସନ୍ତି ଏବଂ ମେଳା ପ୍ରାୟ ଏକ ମାସ କାଳ ସ୍ଥାୟୀ ହୁଏ । ଉତ୍କଳରେ ଲୋକସମାଗମ ଓ ଏକତ୍ରୀକରଣର ଏହା ଗୋଟିଏ ପ୍ରଧାନ ଦୃଶ୍ୟ-ଏଭଳି ନରନାରୀ ଏକତ୍ରୀକରଣ ପୁରୀର ରଥଯାତ୍ରା ବ୍ୟତୀତ ଅନ୍ୟ ସ୍ଥାନରେ ଦୃଷ୍ଟ ହୁଏ ନାହିଁ । ସ୍ତ୍ରୀମାନଙ୍କର ବିବିଧ ରଙ୍ଗର ଶାଢ଼ୀରେ ହଟକେଶ୍ୱରର ସୁବିସ୍ତୀର୍ଣ୍ଣ କ୍ଷେତ୍ର ଶ୍ୱେତ-କୃଷ୍ଣ-ନୀଳ-ହରିତ୍‌ ପ୍ରଭୃତି ବିଚିତ୍ର ବର୍ଣ୍ଣାବଳୀର ଲୀଳାଭୂମି ହୋଇଯାଏ ଏବଂ ଏହି ବିଚିତ୍ର ଦୃଶ୍ୟ ଯେ ଦେଖି ନାହାନ୍ତି, ତାହାଙ୍କର ନୟନ ଧାରଣ ବୃଥା ।

 

ମାଘ ସନ୍ତମୀରେ କୋଣାର୍କ-ଚନ୍ଦ୍ରଭାଗାର ଓ ଖଣ୍ତଗିରିର ମେଳା ଉତ୍କଳପ୍ରସିଦ୍ଧ । ଏହି ଦିନ ପ୍ରାତଃକାଳରେ ସମୁଦ୍ରକୂଳରେ ରୁଣ୍ତାଭୂତ ଦୂରାଗତ ଯାତ୍ରିସମୂହର ଚକ୍ରବାଳରେଖା ଉପରେ ସୂର୍ଯ୍ୟୋଦୟ ଦର୍ଶନ ଅତୀବ ବିସ୍ମୟକର ଏବଂ କୌତୂହଳଜନକ ହୋଇଥାଏ । ସୂର୍ଯ୍ୟୋଦୟ ଦେଖି ସମସ୍ତେ କହନ୍ତି, ‘‘ସୂର୍ଯ୍ୟ କଅଁଳା ବାଛୁରୀ ପରି ଡେଇଁ ପଡ଼ିଲେ ।’’ ଉଦୀୟମାନ ସୂର୍ଯ୍ୟାଲୋକରେ ସମୁଦ୍ରର ତପ୍ତକାଞ୍ଚନ ସଦୃଶ ଶୋଭା ସନ୍ଦର୍ଶନ କରି ପ୍ରତ୍ୟେକ ଯାତ୍ରୀ ମୋହିତ ହୁଅନ୍ତି ଏବଂ ବେଳାଭୂମିରୁ ସମୁଦ୍ର ଫେଣ, ଶୁକ୍ତି ଓ ରାବଣ-ଲେଖନୀ (ଏକପ୍ରକାର ସାମୁଦ୍ରିକ ଜୀବ ) ଗୋଟାଇ ସ୍ମାରକ ଚିହ୍ନସ୍ୱରୂପ ଘେନି ଆସନ୍ତି । କ୍ଷୁଦ୍ର କର୍କଟଶିଶୁର ଚିତ୍ରବିଚିତ୍ର ମୃଣ୍ମୟ ବସା ପ୍ରତ୍ୟହ ଫେନିଳ ତରଙ୍ଗଦ୍ୱାରା ବିଧୌତ ହୋଇଯିବାର କମନୀୟ ଦୃଶ୍ୟ ଏଠାରେ ସୁଲଭ ।

 

ଖଣ୍ତଗିରିର ଗୁପ୍ତଗଙ୍ଗାରେ ସ୍ନାନ ମାଘସପ୍ତମୀ ମେଳାର ପ୍ରଧାନ ଉଦ୍ଦେଶ୍ୟ । ଏଠାରେ ଯୁଗାନ୍ତର ପୂର୍ବର ପବିତ୍ର ଜୈନକୀର୍ତ୍ତିପ୍ରସୂତ ଗୁମ୍ଫାସମୂହ ଦେଖି ସମସ୍ତଙ୍କ ହୃଦୟରେ ପ୍ରତ୍ନତତ୍ତ୍ୱର ଅସ୍ପଷ୍ଟ ଆଭାସ ବିକଶିତ ହୁଏ । ଏହିସବୁ କୀର୍ତ୍ତିର ପ୍ରାଚୀନ ଶିଳ୍ପିମାନେ ସୁରଲୋକରୁ ସେମାନଙ୍କର ପ୍ରଶଂସାଧ୍ୱନି ଶୁଣି ସମବେତ ନରନାରୀଙ୍କର ମଙ୍ଗଳ-କାମନା କରୁଥାନ୍ତି କି ନାହିଁ, କିଏ କହିବ ?

 

ଶୀତଋତୁ ! ଦରିଦ୍ରଙ୍କ ପକ୍ଷରେ ତୁମ୍ଭେ କୁଟୁମ୍ୱ-କଟୁବାକ୍ୟ ସଦୃଶ ନିତାନ୍ତ ଯନ୍ତ୍ରଣାଦାୟକ ହୋଇ ସ୍ୱୀୟ ପ୍ରତାପ ଦେଖାଇ ଦିଅ । ‘‘ଦରିଦ୍ର ଭାଗ୍ୟକୁ ଆଦରି ଶୀତ-କଷ୍ଟ ସହିଲେ’’ ଏହି ଅମୂଲ୍ୟ ବାଣୀର ପ୍ରତ୍ୟେକ ଅକ୍ଷରହିଁ ସତ୍ୟ । ମନୁଷ୍ୟ କଥା ଦୂରେ ଥାଉ, ଶୀତକାଳର ରାତ୍ରିରେ ଦୂର ପ୍ରାନ୍ତର ମଧ୍ୟରୁ ଅହରହ କୋକିଶିଆଳର ରବ ଶୀତାଧିକ୍ୟ ସୂଚନା କରେ । ଗ୍ରୀଷ୍ମକାଳରେ ଦିନ ଦୀର୍ଘ, ଶୀତକାଳରେ ରାତ୍ରି ଦୀର୍ଘ । ଏଣୁ କବି ଯଥାର୍ଥ କହିଅଛନ୍ତି :–

 

‘‘ଗ୍ରୀଷ୍ମକାଳେ ଦିନଂ ଦୀର୍ଘଂ ଶୀତକାଳେ ତୁ ଶର୍ବରୀ ।

ପରୋପତାପିନଃ ସର୍ବେ ପ୍ରାୟଶୋ ଦୀର୍ଘଜୀବିନଃ । ’’

Image